Latest Odisha News

କଡ଼ାକଡ଼ି ହେବ ଉପକୂଳ ସୁରକ୍ଷା ବ୍ୟବସ୍ଥା, ଗଠନ ହେବ ତଟରକ୍ଷୀ ବାହିନୀ ସହିତ ସ୍ୱାଧୀନ ବୋର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବା ସହ ଅନେକ ନୂଆ ଉପାୟକୁ ଲାଗୁ କରି ତଟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ।

ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହ ପୂର୍ବ ସମୁଦ୍ର ତଟର କୋଷ୍ଟ ଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯୟ ସମୟରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଛି । ଏହା ସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦିଆଯଆଇଛି ।

ଏହା ସହ ଉପକୂଳ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ, ଆକାଶ ମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳକୁ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଭଳି ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡିଶା ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ବିଶେଷ ଭାବେ ଆଲୋଚନା ହୋଇଛି ।

ଆଗାମୀ ଦିନରେ ତଟ ସୁରକ୍ଷା ଏବଂ ଓଡିଶା ପୋଲିସର ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ବୋର୍ଡ଼ ଗଠନ କରାଯିବ । ଏହି ଦୁଇ ବିଭାଗର ଅଧିକାରୀମାନେ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ ଏବଂ ସେମାନଙ୍କ ରିପୋର୍ଟ ଅନୁଯାୟୀ ମେରାଇନ ଥାନା ଗୁଡିକୁ ବୋଟ ଯୋଗାଇଦିଆଯିବ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହା ସହ ତଟ ସୁରକ୍ଷା ବାହିନୀ ଏବଂ ଭାରତୀୟ ନୌବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଯବାନମାନଙ୍କୁ ଆଗାମୀ ଦିନରେ ମେରାଇନ ଥାନା ଗୁଡିକରେ ନିଯୁକ୍ତି ଦିଆଯିବ । ଓଡିଶା ପୋଲିସ ଏବଂ ତଟ ସୁରକ୍ଷା ସହ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି, ତାହା ଦୀର୍ଘସ୍ଥାୟୀ ରଖିବାକୁ ସବୁବେଳେ ଉଦ୍ୟମ ଜାରି ରହିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

Comments are closed.