Latest Odisha News

BREAKING NEWS

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା ଦିନବେଳା କୌଣସି କାର୍ଯ୍ୟ କରିପାରୁଛନ୍ତି । ଦିନ ୯ ଟା ବେଳୁ ଖରା ଜୋର୍‌ ହେଉଛି ।

ତେବେ ଆଜି ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରହିଛି । ରାଜ୍ୟର ୧୭ଟି ସହର ବା ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ତାଲିକାରେ ସୋନପୁର ପଛକୁ ରହିଛି ବଲାଙ୍ଗୀର । ଏଠାରେ ତାପମାତ୍ରା ୪୨.୮ଡିଗ୍ରୀ ରହିଛି । ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୁଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫, ଟିଟିଲାଗଡ଼ରେ ୪୧.୫ ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରର ୪୦.୮, ନୟାଗଡ଼ରେ ୪୦.୫, ଭବାନୀପାଟଣାରେ ୪୦.୫, ବାଲେଶ୍ୱର, ମାଲକାନଗିରି ଓ ଛତ୍ରପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୮ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତଥାପି ଏଭଳି ରୌଦ୍ର ତାପ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇପାରେ । କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

ମଧ୍ୟାହ୍ନ ସମୟରେ ତାପମାତ୍ରା ଅଧିକ ରହିବ । ଏଥିପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ଜରୁରି ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ ଗଲେ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି ।

 

Leave A Reply

Your email address will not be published.