Latest Odisha News

BREAKING NEWS

ଆକ୍ସନ୍ ମୋଡରେ ରାଜ୍ୟ ପରିବହନ ବିଭାଗ, ଏଣିକି ଜୋରିମାନା ସହ ଥାନାରେ ହେବ FIR

ଭୁବନେଶ୍ୱର : ଟ୍ରାଫିକ୍ ନିୟମ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ ! ରାଜ୍ୟରେ ଟ୍ରାଫିକ ନିୟମର ଉଲଘଂନ ରୋକିବା ନେଇ ଶୂନ୍ୟ ସହନଶୀଳତା ନୀତି ଆପଣା ଯିବ ବୋଲି ସଫାସଫା କହିଛି ରାଜ୍ୟ ପରିବହନ ବିଭାଗ । ଏହି କ୍ରମରେ ବଡଧରଣର ଅଭିଯାନ ଚଲାଇବ ପରିବହନ ବିଭାଗ । ଦିନ ତମାମ ରାଜ୍ୟବ୍ୟାପି ଚାଲିବ ଧରପକଡ । ଖାସ କରି ଗାଡ଼ି ଚଲାଉଥିବା ସ୍କୁଲ ଛାତ୍ରଛାତ୍ରୀ ଏବଂ ନାବାଳକଙ୍କ ଉପରେ ନଜର ରଖାଯିବ ବୋଲି କହିଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର (ଏନଫୋର୍ସମେଣ୍ଟ) ରୋଡ୍ ସେଫଟି ଲାଲମୋହନ ସେଠୀ । ବଡ଼ କଥା ହେଲା, ଏଣିକି ଜୋରିମାନା ସହ ସମ୍ପୃକ୍ତ ନିୟମ ଖିଲାପକାରୀଙ୍କ ନାଁରେ ନିକଟସ୍ଥ ଥାନାରେ FIR ଦିଆଯିବ । ତେବେ ବିଶେଷ କରି ସପ୍ତାହର ଶନିବାର ଓ ରବିବାର ଏହି ଚଢାଉକୁ ଜୋରଦାର କରାଯିବ ବୋଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀ ।

ଟ୍ରାଫିକ ଉଲଘଂନ କରୁଥୁବା ଗାଡି ଚାଳକଙ୍କ ବିରୋଧରେ ଶକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟର ସମସ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ । ସେପଟେ ପୂର୍ବ ଘୋଷଣା ଅନୁସାରେ, 18 ବର୍ଷରୁ କମ ଗାଡି ଚାଳକଙ୍କ ଉପରେ ଏମଭି ଆକ୍ଟର ସେକ୍ସନ୍ ୧୯୯-ଏ ଅନୁସାରେ, ଗାଡ଼ି ଜବତ କରାଯାଇ ପଞ୍ଜିକରଣ ବାତିଲ୍ କରାଯିବ । ନାବାଳକଙ୍କ ଅଭିଭାବକ ଅଥବା ଗାଡ଼ି ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଜୋରିମାନା ସହ ଗାଡି ମାଲିକଙ୍କୁ ୩ ବର୍ଷ ଜେଲ୍ ମଧ୍ୟ ହୋଇପାରେ । ଆଉ ଯଦି ସାରଥି ଡାଟାବେସରେ ତଥ୍ୟ ଅପଲୋଡ୍ ହୁଏ ତେବେ ସମ୍ପୃକ୍ତ ନାବାଳକ ବା ନାବାଳିକା ଜଣଙ୍କୁ ୨୫ ବର୍ଷ ହେବା ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.