Latest Odisha News

BREAKING NEWS

ଭରା ସଭାରେ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ: ଚାଉଳ ଉଠାଉନି ଏଫସିଆଇ, ଅନ୍ୟ ରାଜ୍ୟ ପ୍ରତି କେନ୍ଦ୍ରର ଦରଦ କାହିଁକି?

ଭୁବନେଶ୍ୱର: ରାଜ୍ୟରୁ ଠିକ୍ ସମୟରେ ଉଦ୍‌ବୃତ୍ତ ଚାଉଳ ଉଠାଣ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଟାଳଟୁଳ ନୀତି ଏବଂ ଅବହେଳାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଏଫସିଆଇର ସାଧାରଣ ପ୍ରବନ୍ଧକଙ୍କ ଆଗରେ ମନ୍ତ୍ରୀ ଖୋଲାଖୋଲି ଭାବେ ନିଜର ଅସହାୟତା ଏବଂ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାର ଅନ୍ୟ ରାଜ୍ୟ ପ୍ରତି ଦରଦ ଦେଖାଉଥିବା ବେଳେ ଓଡ଼ିଶା ପ୍ରତି କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ତାହାକୁ ନେଇ ସେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ଓ ଏଫସିଆଇ ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବା ପାଇଁ ଏକ ଟାର୍ଗେଟ୍ ଦେଇଥିଲେ। ରାଜ୍ୟ ସରକାର ସେହି ଟାର୍ଗେଟ୍ ଅନୁଯାୟୀ କାର୍ଯ୍ୟ କରୁଥିଲେ ମଧ୍ୟ ଏଫସିଆଇ ନିଜ ଟାର୍ଗେଟ୍ ପୂରଣ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି । “ଏଫସିଆଇ ବେଳେ ବେଳେ ଆମକୁ ଧପେଇ ଦେଉଛି ଏବଂ କେବଳ ଏହି ଗୋଟିଏ ସମସ୍ୟା ଆମକୁ ମାରୁଛି,” ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସେ ବାରମ୍ବାର ଦିଲ୍ଲୀ ଗସ୍ତ କରି ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିପାରି ନାହିଁ ।

ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କିଣିବା ବାବଦକୁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ମାତ୍ର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଛି। ଧାନ ଉତ୍ପାଦନ ବୃଦ୍ଧି ନେଇ ରାଜ୍ୟ ସରକାର ଚିନ୍ତିତ ନୁହଁନ୍ତି, ବରଂ ଉତ୍ପାଦିତ ଧାନରୁ ପ୍ରସ୍ତୁତ ଚାଉଳ କିପରି ଠିକ୍ ସମୟରେ ଗୋଦାମରୁ ଉଠିବ ତାହା ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଯଦି ପୁରୁଣା ଚାଉଳ ଠିକ୍ ସମୟରେ ନଉଠେ, ତେବେ ଆଗକୁ ପୁଣି ଥରେ ଚାଷୀଙ୍କ ଠାରୁ ନୂଆ ଧାନ କିଣିବା ଏବଂ ମଣ୍ଡି ପରିଚାଳନା କରିବା ବହୁତ କଷ୍ଟକର ହୋଇପଡ଼ିବ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ହାତ ସମ୍ପୂର୍ଣ୍ଣ ରୂପେ ବାନ୍ଧି ହୋଇଯାଉଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିବା ସହ ତୁରନ୍ତ ରାଜ୍ୟରୁ ଚାଉଳ ଉଠାଇବାକୁ ଦାବି କରିଛନ୍ତି ।

ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ସେ ପୁଣି ଥରେ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି। ଚଳିତ ଥର ଓଡ଼ିଶାରୁ ୨୦ ଜଣ ସାଂସଦ ନିର୍ବାଚିତ ହୋଇ କେନ୍ଦ୍ରକୁ ଯାଇଛନ୍ତି। ତେଣୁ ରାଜ୍ୟର ହକ୍, ଅଧିକାର ଓ ଚାଷୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଏହି ପ୍ରସଙ୍ଗ ଦୃଢ଼ତାର ସହ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Leave A Reply

Your email address will not be published.