ଗଣତନ୍ତ୍ର ଦିବସ ୨୦୨୫ ପରେଡରେ କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼
ଭୁବନେଶ୍ୱର: ଚଳିତ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖ୍ୟାନ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ ହୋଇଛି ।
ଗତବର୍ଷ କର୍ତ୍ତବ୍ୟପଥରେ ଐତିହ୍ୟଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଏହାସହ ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବା ସହ ପ୍ରଥମ ପୁରସ୍କାର ହାସଲ କରିଥିଲା । ହେଲେ ଗଣତନ୍ତ୍ର ଦିବସ ୨୦୨୫ରେ ଓଡିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର । ଏଥର ଓଡିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା । ହେଲେ ତାକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର ।
ତେବେ ଜାନୁଆରୀ ୨୬ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀର ଲାଲ କିଲ୍ଲା ନିକଟରେ ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ‘ଭାରତ ପର୍ବ’ରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ‘ଭାରତ ପର୍ବ’ ଗଣତନ୍ତ୍ର ଦିବସ ପାଳନ କରିବାର ଏକ ଅଂଶ ।
ଚଳିତ ଥର ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ଼କୁ କର୍ତ୍ତବ୍ୟପଥରେ ଗଡ଼ିବା ପାଇଁ ମିଳିଛି ଅନୁମତି ହେଲେ ଓଡିଶା ବାଦ୍ ପଡିଛି । ଏହାସହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ ।
Comments are closed.