Latest Odisha News

BREAKING NEWS

ଏମିତି ଏକ ସ୍କୁଲ ଯେଉଁଠି ନଦୀରେ ପହଁରି ପାଠ ପଢେଇବାକୁ ଆସନ୍ତି ଶିକ୍ଷୟିତ୍ରୀ !

ଢେଙ୍କାନାଳ: ପ୍ରଚୁର ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନିଥାଏ । ଏଇମିତି ଏକ ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ସାମଲ ।

ଜିଲ୍ଲାର ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ରଥିପଲ୍ଲା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୫୦ ବର୍ଷିୟା ଶିକ୍ଷୟିତ୍ରୀ ବିନୋଦିନୀ ସବୁବର୍ଷ ବର୍ଷାଦିନରେ ସ୍ଥାନୀୟ ସାପୁଆ ନଦୀରେ ପହଁରି ପହଁରି ବିଦ୍ୟାଳୟରେ ପହଞ୍ଚିଥାଆନ୍ତି । ତାଙ୍କର ଏହି ସାହସିକ ପଦକ୍ଷେପ ତଥା ଶିକ୍ଷାଦାନ ପ୍ରତି କର୍ତ୍ତବ୍ୟବୋଧ ଏବେ ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି । ସେ ଆଦୌ ଛୁଟି ନନେଇ ବିଗତ ୧୦ ବର୍ଷ ହେଲା ଏହିପରି ଉଚ୍ଛୁଳା ନଦୀରେ ବିପଦପୂର୍ଣ୍ଣ ଭାବେ ପହଁରି ପହଁରି ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ଆସିଥାଆନ୍ତି ।

ଛାତ୍ରମହଲରେ ସେ ‘ବିନି ଦିଦି’ ଭାବେ ବେଶ୍ ଜଣାଶୁଣା । କର୍ତ୍ତବ୍ୟନିଷ୍ଠାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିବା ବିନି ଦିଦି ଏସମ୍ପର୍କରେ କହନ୍ତି, “ମୁଁ ସବୁ ବର୍ଷା ସମୟରେ ଏହିପରି ପହଁରି ପହଁରି ସ୍କୁଲକୁ ଆସିଥାଏ, ମାତ୍ର ୨ ବର୍ଷ ପୂର୍ବରୁ ଥରେ ନଦୀର ଅଥଳ ସ୍ରୋତରେ ଭାସିଯାଇଥିଲି । ସୌଭାଗ୍ୟବଶତଃ ମୁଁ ଏକ ବାଲିପଠାରେ ଆସି ଲାଗିଥିଲି ଏବଂ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲି ।”

ବିନି ଦିଦି ୨୦୦୮ ମସିହାରୁ ଜଣେ ସରକାରୀ ଗଣଶିକ୍ଷକ ଭାବେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଛନ୍ତି । ପ୍ରତିବର୍ଷ ବର୍ଷାଋତୁ ସମୟରେ ମୁଁ ଏହିପରି ନଦୀରେ ପହଁରି ସ୍କୁଲକୁ ଯାଇଥାଏ । “ମୋ ଲାଗି କର୍ତ୍ତବ୍ୟ ସବୁଠାରୁ ବଡ଼ । ତେବେ ଖାଲି ଘରେ ବସି ରହି କ’ଣ ବା କରିଥାଆନ୍ତି,” ଏହା କହିଛନ୍ତି ଆଦର୍ଶ ଶିକ୍ଷୟିତ୍ରୀ ବିନୋଦିନୀ ।

ବିନି ଦିଦିଙ୍କର ଏହି ନଦୀରେ ପହଁରି ସ୍କୁଲରେ ଶିକ୍ଷାଦାନ କରିବା ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିନି ଦିଦି କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ସେ ୨୦୧୬ରୁ ଶିକ୍ଷାଦାନ କରିଆସୁଥିଲେ ମଧ୍ୟ ତାଙ୍କ ଚାକିରି ଏପର୍ଯ୍ୟନ୍ତ ସ୍ଥାୟୀ ହୋଇନାହିଁ ।

ଇତିମଧ୍ୟରେ ଶିକ୍ଷୟିତ୍ରୀ ବିନୋଦିନୀଙ୍କ ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳ ଜାଣିପାରି ଏନେଇ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ।

Leave A Reply

Your email address will not be published.