Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସରକାରୀ ଅଫିସ୍‌ରେ ଚାଲିବ ବିଦ୍ୟୁତ୍‌ ଚାଳିତ ଗାଡ଼ି

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ପଦକ୍ଷେପ । ଆଉ ପେଟ୍ରୋଲ କି ଡିଜେଲ୍ ଗାଡ଼ି ନୁହେଁ । ଏଣିକି ପ୍ରଦୂଷଣ ରୋକିବାକୁ ସବୁ ସରକାରୀ ଅଫିସରେ ଚାଲିବ ଇଲେକ୍ଟ୍ରିକ୍ ଗାଡ଼ି । ପର୍ଯ୍ୟାୟ କ୍ରମେ ରାଜ୍ଯ ସରକାରଙ୍କ ସମସ୍ତ ବିଭାଗରେ ଇ-ଭେଇକିଲ୍ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ରହିଥିବା ବେଳେ ହଜାର ହଜାର ପେଟ୍ରୋଲ ଓ ଡିଜେଲ୍ ଗାଡ଼ି ବ୍ୟବହାର ହେଉଛି । ପ୍ରଦୂଷଣ ହ୍ରାସ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଇଲେକ୍ଟ୍ରି ଚାଳିତ ଗାଡ଼ି ନିୟୋଜିତ ହେବ । ସରକାରୀ କାର୍ଯ୍ୟାଳୟରେ ଇ-ଭେଇକିଲ୍ ବ୍ୟବହାର ଦ୍ୱାରା ପେଟ୍ରୋଲ୍ ଓ ଡିଜେଲ୍ ଖର୍ଚ୍ଚ କମିବା ସହ ପ୍ରଦୂଷଣ ହ୍ରାସ ପାଇବ ।

ତା’ଛଡ଼ା ସରକାରୀ କାର୍ଯ୍ୟାଳୟରେ ଇ-ଭେଇକିଲ୍ ନିୟୋଜନ ଲୋକଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ପ୍ରୋତ୍ସାହନ ଯୋଗାଇ ଦେବ । ଏନେଇ ସରକାର ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ଧିରେ ଧିରେ ସମସ୍ତ ସରକାରୀ ବିଭାଗରେ ଇଲେକ୍ଟ୍ରିକ୍ ଭେଇକିଲ୍ ନିୟୋଜନ କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

୨୦୨୧ରେ ରାଜ୍ୟ ସରକାର ଓଡ଼ିଶା ଇଲେକ୍ଟ୍ରିକ୍ ଭେଇକିଲ୍ ପଲିସି ଆଣିଥିଲେ । ଯେଉଁଥିରେ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଭେଇକିଲ୍ କ୍ରୟରେ ୧୫ ପ୍ରତିଶତ ସବସିଡ୍ ପ୍ରଦାନ କରୁଛନ୍ତି । ଦୁଇ ଚକିଆ ଇ ଭେଇକିଲ୍ ପାଇଁ ସର୍ବାଧିକ ୫ ହଜାର ଟଙ୍କା, ତିନି ଚକିଆ ଯାନ ପାଇଁ ସର୍ବାଧିକ ୧୦ ହଜାର ଟଙ୍କା ସବସିଡ୍ ଦେଉଛନ୍ତି ସରକାର । ସେହିଭଳି ୪ ଚକିଆ ଯାନ କିଣିଲେ ସର୍ବାଧିକ ୫୦ ହଜାର ଟଙ୍କା ଯାଏ ସବସିଡ୍ ବ୍ୟବସ୍ଥା ରହିଛି । ଏଥିସହ ସରକାର ୪ ଚକିଆ ଇ-ଭେଇକିଲ୍ ପଞ୍ଜିକରଣ ଶୁଳ୍କ ଛାଡ଼ କରିଛନ୍ତି ।

୨୦୨୧ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ଇ-ଭେଇକିଲ୍ ସବସିଡ୍ ଯୋଜନା ରାଜ୍ୟରେ ୨୦୨୫ ମସିହା ଡିସେମ୍ବର ଯାଏ ବଳବତ୍ତର ରହିବ । ଏଯାବତ୍ ରାଜ୍ୟରେ ୪ ହଜାର ୪୮୮ଟି ଇ-ଭେଇକିଲ୍ ପାଇଁ ସରକାର ୨.୯୬ କୋଟି ଟଙ୍କା ସବସିଡ୍ ଯୋଗାଇଛନ୍ତି । ଯେତେବେଳେ କି ରାଜ୍ୟରେ ମୋଟ ୧୬ ହଜାର ୭୫୯ଟି ଇ-ଭେଇକିଲ୍ ବିକ୍ରି ହୋଇଥିବା ବେଳେ ୫ ହଜାର ୪୬୬ ଜଣ ସବସିଡ୍ ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.