Latest Odisha News

BREAKING NEWS

ନୂଆବର୍ଷରୁ ଥରିବ ଓଡିଶା, ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧ ତାରିଖ ବେଳକୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଡିସେମ୍ବର ୨୮ ତାରିଖରୁ ରାତ୍ରୀର ତାପମାତ୍ରା ଲାଗାତାର ଭାବେ ହ୍ରାସ ଘଟିବ । ଏଥିସହିତ ଜାନୁଆରୀ ୧ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ତୀବ୍ର ଶୀତର ଲହରୀ ଜାରି ହେବ” ।

ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୫ ତାରିଖ ଯାଏଁ ରାଜ୍ୟରେ ପାଣିପାଗ ଶୁଷ୍କ ରହିବ । ପରେ ଡିସେମ୍ବର ୨୬ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା ରହିଛି । ପୁଣି ଡିସେମ୍ବର ୨୭ ବେଳକୁ ଉତ୍ତର ଉପକୂଳ ସମେତ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ ମୟୁରଭଞ୍ଜରେ ମଧ୍ୟ ବର୍ଷା ହେବ ।

ଏହାବ୍ୟତିତ ଡିସେମ୍ବର ୨୭ବେଳକୁ ୨-୩ ଦିନ ଲାଗି ଉତ୍ତର ଓଡିଶାର କିଛି ସ୍ଥାନ ଓ କଳାହାଣ୍ଡି, କନ୍ଧମାଳ, ଫୁଲବାଣୀ ସମେତ ରାୟଗଡାର ଦକ୍ଷିଣ ଜିଲ୍ଲାଗୁଡିକରେ ମଧ୍ୟ ଘନ କୁହୁଡିର ଆସ୍ତରଣ ସୃଷ୍ଟି ହେବ ।

ଅପରପକ୍ଷରେ ମଙ୍ଗଳବାର ଦିନ ଆଇଏମଡି ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ, ଉପକୂଳ ଜିଲ୍ଲାରେ ରାତିର ତାପମାତ୍ରା ଅଧିକ ହ୍ରାସ ଘଟିଥିଲା ।

ବାଲେଶ୍ୱର (୧୨.୪), ଚାନ୍ଦବାଲି (୧୪.୨), କଟକ (୧୩.୨), ପାରାଦୀପ(୧୬.୪), ଭୁବନେଶ୍ୱର(୧୫), ଗୋପାଳପୁର(୧୭.୯) ଓ ପୁରୀ(୧୫)ରେ ରାତ୍ରୀର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଥିଲା ।

Leave A Reply

Your email address will not be published.