Latest Odisha News

BREAKING NEWS

Dry Weather: ୩ ଦିନ ଖରା, ୫ରୁ ବଦଳିବ ପାଗ! ୧୨ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ; ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି?

ଭୁବନେଶ୍ୱର: ଅକ୍ଟୋବର ଆରମ୍ଭରୁ ଓଡ଼ିଶାର ପାଣିପାଗକୁ ନେଇ ଆସିଛି ବଡ଼ ଅପଡେଟ୍। ଆସନ୍ତା ୩ ଦିନ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିବ। ଏହାପରେ ଅକ୍ଟୋବର ୫ରୁ କିଛି ଜିଲ୍ଲାରେ ପାଗ ବଦଳିବା ସହ ହାଲୁକାରୁ ମଧ୍ୟମ ବର୍ଷା ଓ ବିଜୁଳି-ଘଡ଼ଘଡ଼ି ହୋଇପାରେ। ଅକ୍ଟୋବର ୯ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏଭଳି ପାଗ ଜାରି ରହିବା ନେଇ ପୂର୍ବାନୁମାନ ରହିଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକ୍ଟୋବର ୩, ୪ ଓ ୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଶୁଖିଲା ପାଗ ରହିବାର ସମ୍ଭାବନା ଅଛି। ଅର୍ଥାତ୍ ଆସନ୍ତା କିଛି ଦିନ ବର୍ଷାରୁ ଆଶ୍ୱସ୍ତି ମିଳିପାରେ। ତେବେ ଏହା ପରେ ପାଣିପାଗରେ ପରିବର୍ତ୍ତନ ଆସିବ।

ଅକ୍ଟୋବର ୫ରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ। ଏହି ପାଗ ଅକ୍ଟୋବର ୬ରେ ମଧ୍ୟ ଜାରି ରହିବା ସମ୍ଭାବନା ଅଛି। ଅକ୍ଟୋବର ୭ ଓ ୮ରେ ଏହି ତାଲିକାରେ ରାୟଗଡ଼ା ଓ କୋରାପୁଟ ମଧ୍ୟ ସାମିଲ ହେବ। ଅନ୍ୟ ଜିଲ୍ଲାଗୁଡ଼ିକରେ ଶୁଖିଲା ପାଗ ରହିପାରେ।

ସବୁଠାରୁ ବଡ଼ ଖବର ହେଉଛି, ଅକ୍ଟୋବର ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅକ୍ଟୋବର ୧୩ ବେଳକୁ ଲଘୁଚାପର ରୂପ ନେଇପାରେ। ପରେ ଅକ୍ଟୋବର ୧୫ ବେଳକୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ନେଇ ଆକଳନ କରାଯାଉଛି। ତେବେ ଏହି ସମ୍ଭାବ୍ୟ ସିଷ୍ଟମ ଆଗକୁ କେତେ ଶକ୍ତିଶାଳୀ ହେବ, ଅବପାତରେ ସୀମିତ ରହିବ ନା ଗଭୀର ଅବପାତ କିମ୍ବା ତା’ଠାରୁ ଅଧିକ ଶକ୍ତିଶାଳୀ ହେବ, ତାହା ଏବେଠାରୁ ନିଶ୍ଚିତ କରିବା କଷ୍ଟକର।

ସମ୍ଭାବ୍ୟ ସିଷ୍ଟମକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଆକଳନ ଦେଉଛନ୍ତି। GFSର ସଦ୍ୟତମ ଆକଳନ ଅନୁସାରେ ସିଷ୍ଟମ ଗଠନରେ କିଛି ବିଳମ୍ବ ହୋଇପାରେ। ଅନ୍ୟପଟେ ECMWF ମଡେଲ୍ ଅକ୍ଟୋବର ୧୬ ବେଳକୁ ଏହା ଆନ୍ଧ୍ର ଉପକୂଳ ନିକଟରେ ଥିବାର ସଙ୍କେତ ଦେଉଛି। ତେବେ ଏବେଠାରୁ ଏହାର ନିର୍ଦ୍ଦିଷ୍ଟ ଗତିପଥ କେଉଁଆଡ଼େ ରହିବ, ସେନେଇ କୌଣସି ମଡେଲ୍ ସ୍ପଷ୍ଟ ଚିତ୍ର ଦେଇନାହିଁ। ତେଣୁ ଏବେଠାରୁ ଏହାକୁ ବାତ୍ୟା ବୋଲି ଧରିନେବା ଠିକ୍ ହେବ ନାହିଁ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକ୍ଟୋବର ୭ ପର୍ଯ୍ୟନ୍ତ ରାଜ୍ୟରେ ଖରା, ଅଧିକ ତାପମାତ୍ରା ଓ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହିପାରେ। ଏହା ଫଳରେ ପୁଣି ଗରମ ଅନୁଭବ ହୋଇପାରେ। ଅକ୍ଟୋବର ୮ରୁ ୧୫ ମଧ୍ୟରେ ଏକ ଘୂର୍ଣ୍ଣିବାତ୍ୟା ଗଠନର ସମ୍ଭାବନା ରହିଛି। ହେଲେ ଏହାର ଗଠନସ୍ଥଳ, ତୀବ୍ରତା ଓ ଗତିପଥ ଏବେ ବି ଅନିଶ୍ଚିତ।

ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶା ପ୍ରତି ଏହି ସମ୍ଭାବ୍ୟ ସିଷ୍ଟମର କୌଣସି ନିଶ୍ଚିତ ବିପଦ ସଙ୍କେତ ଏପର୍ଯ୍ୟନ୍ତ ମିଳିନାହିଁ। ଯଦି ଆଗକୁ ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହୁଏ, ତେବେ ଦଶହରା ସମୟରେ ବର୍ଷା ବଢ଼ିପାରେ। ତେଣୁ ପାର୍ବଣ ସମୟର ପାଣିପାଗ ଉପରେ ଏବେ ନଜର ରହିଛି।

Leave A Reply

Your email address will not be published.