Latest Odisha News

BREAKING NEWS

ବାହାନଗା ବଜାର ଷ୍ଟେସନରେ ପୁଣି ପହଞ୍ଚିଲା ସିବିଆଇ, କିଛି ରେଳ ଅଧିକାରୀଙ୍କ ଫୋନ୍ ଜବତ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଦ୍ୱିତୀୟ ଦିନରେ ତୃତୀୟ ଥର ପାଇଁ ବାହାନଗା ବଜାର ଷ୍ଟେସନରେ ପହଞ୍ଚିଛି । କାହିଁକି ଟ୍ରେନ୍ ଦୁର୍ଘଟଣା ଘଟିଲା ? ସିଗନାଲରେ ତ୍ରୁଟି ଥିଲା ନା ଇଣ୍ଟରଲକିଂରେ ଥିଲା ସମସ୍ୟା ? ନା କିଏ କରିଛି ଷଡ଼ଯନ୍ତ୍ର ? ସବୁ ଦିଗରୁ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ କିଛି ରେଳ ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ।

ସିବିଆଇର ଟେକ୍ନିକାଲ୍ ଟିମ୍ ଦୁର୍ଘଟଣାର ଯାଞ୍ଚ କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଛି । ଘଟଣା ଦିନ ରେଳ ଅଧିକାରୀ କାହା ସହ ଫୋନ୍ ଓ ହ୍ୱାଟ୍ସଆପରେ କଥା ହୋଇଛନ୍ତି । ସୋସିଆଲ୍ ମିଡିଆରେ କାହା ସହ ମତ ବିନିମୟ କରିଛନ୍ତି । ଏସବୁ ତଥ୍ୟ ସିବିଆଇ ଜବତ ଫୋନରୁ ସଂଗ୍ରହ କରିବ ।

ଆବଶ୍ୟକସ୍ଥଳେ ଚିକିତ୍ସାଧୀନ ଲୋକୋ ପାଇଲଟଙ୍କୁ ମଧ୍ୟ ସିବିଆଇ ଜେରା କରି ପାରେ । ଗତକାଲି ସିବିଆଇ ବାହାନଗା ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ଦୁଇଥର ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଖୋଳତାଡ଼ କରିଥିଲା ।

ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ୍ ସହ ଯଶୱନ୍ତପୁର-ହାୱଡ଼ ସୁପରଫାଷ୍ଟ ଓ ଏକ ମାଲବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ ।

Leave A Reply

Your email address will not be published.