Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଏ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାରର ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବାଲେଶ୍ୱରରୁ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ଅଣାଯାଇଥିବା ବେଳେ ବାଲେଶ୍ୱରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଭୁବନେଶ୍ୱର ଅଣାଯାଇଥିବା ୧୯୩ଟି ମୃତଦେହରୁ ୧୧୦ଟିକୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ଦିଆଯାଇଛି । ମୋଟ ୨୮୮ଟି ମୃତଦେହ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି । ଆଉ ୮୩ଟି ମୃତଦେହ ଚିହ୍ନଟ ହୋଇ ନଥିବା ବେଳେ ସେ ସବୁର ଡିଏନ୍ଏ ନମୁନା ରଖା ଯାଇଛି । ଡିଏନ୍ଏ ନମୁନା ରଖା ଯାଇଥିବା ମୃତଦେହର କେହି ଦାବିଦାର ଆସିଲେ ଡିଏନ୍ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଶୁକ୍ରବାର ବାଲେଶ୍ୱର ବାହାନଗା ବଜାରରେ ପ୍ରଥମେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ପଛରୁ ଧକ୍କା ଦେଇ ବିଛାରି ହୋଇ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍ । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ୍ ହୋଇଥିଲା ।

ତେବେ ଏତେବଡ଼ ଦୁର୍ଘଟଣା ପଛରେ କିଏ ? କାହିଁକି ଦୁର୍ଘଟଣା ଘଟିଲା ? ସେନେଇ ନାନା ଚର୍ଚ୍ଚା ହେଉଥିବା ବେଳେ କାହା ଅବହେଳାରୁ ଦୁର୍ଘଟଣା ହୋଇଛି କି ନା ବୈଷୟିକ ତ୍ରୁଟି ପାଇଁ ଦୁର୍ଘଟଣା ହେଲା ? ନା ଦୁର୍ଘଟଣା ପାଇଁ କେହି ଷଡ଼ଯନ୍ତ୍ର କରିଥିଲା । ଏବେ ଜିଆରପି ଠାରୁ ସିବିଆଇ ଦୁର୍ଘଟଣାର ତଦନ୍ତ ଭାର ନେଇଥିବା ବେଲେ ରେଲୱେ ସୁରକ୍ଷା କମିଶନର ମଧ୍ୟ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.