ଭୁବନେଶ୍ୱର: ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ୍ ଘଟଣାରେ ଓଡ଼ିଶା ଭିଜିଲାନ୍ସ ରବିବାର ଦିନ ଭୁବନେଶ୍ୱରସ୍ଥିତ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (R&B) ଡିଭିଜନ୍-୧ କାର୍ଯ୍ୟାଳୟର ଆଉ ଚାରି ଜଣ କର୍ମଚାରୀଙ୍କୁ ଗିରଫ କରିଛି।
ଏହି ନୂଆ ଗିରଫଦାରୀ ତାଲିକାରେ କାର୍ଯ୍ୟାଳୟର ପିଅନ୍ ଦୀପକ କୁମାର ରାଉତରାୟ ଓ ଲକ୍ଷ୍ମଣ ବିଶ୍ୱାଳ ଏବଂ ମୁଖ୍ୟ ଅଭିଯୁକ୍ତଙ୍କ ଦ୍ୱାରା ନିୟୋଜିତ ଘରୋଇ ଡାଟା ଏଣ୍ଟ୍ରି ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ର ସାମିଲ ଅଛନ୍ତି। ଏହି ଚାରି ଜଣ ବ୍ୟକ୍ତି ପୂର୍ବରୁ ଗିରଫ ହୋଇଥିବା ସେକ୍ସନ୍ ଅଫିସର ବନଲତା ମହାନ୍ତି ଏବଂ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସହ ମିଶି ଏହି ଠକାମି କରିଥିବା ଅଭିଯୋଗ ରହିଛି।
ତଦନ୍ତରୁ ଜଣାପଡ଼ିଛି ଯେ ଏହି ଚାରି ଜଣ କର୍ମଚାରୀ ବନଲତା ଓ ବିଭୁଦତ୍ତଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ ଏବଂ ହରିଲୁଟ୍ ହୋଇଥିବା ପାଣ୍ଠିର ଏକ ବଡ଼ ଅଂଶ ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାରେ ଗ୍ରହଣ କରିଥିଲେ। କହିବାକୁ ଗଲେଦୀପକ କୁମାର ରାଉତରାୟ ୩୨,୪୭,୮୦୦ ଟଙ୍କା, ଲକ୍ଷ୍ମଣ ବିଶ୍ୱାଳ ୧୬,୨୧,୪୮୪ ଟଙ୍କା, ରାଜୀବ ଲୋଚନ ସେନାପତି ୨୮,୨୮,୮୧୭ ଟଙ୍କା ଏବଂ ସୌମ୍ୟ ରଞ୍ଜନ ମହାପାତ୍ର ୩୫,୬୯,୦୯୮ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ରହିଛି। ସମସ୍ତ ଛଅ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ।
ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଠକାମି ୨୦୨୨-୨୩ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିଲା। ଏସ୍.ଇ. (SE) କାର୍ଯ୍ୟାଳୟର ପ୍ରତିଷ୍ଠା ବିଭାଗ ସହ ଜଡ଼ିତ ଥିବା ବନଲତା ମହାନ୍ତି ଓ ବିଭୁଦତ୍ତ ନାୟକ ନକଲି ମଞ୍ଜୁରୀ ଆଦେଶ ଏବଂ ବିଲ୍ ପ୍ରସ୍ତୁତ କରିବା ପାଇଁ ସହଯୋଗୀମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ। ଏହି ଜାଲ୍ କାଗଜପତ୍ରଗୁଡ଼ିକରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଅସ୍ଥାୟୀ ଗ୍ରାଚ୍ୟୁଇଟି ଓ ବ୍ୟବହାର ହୋଇନଥିବା ଛୁଟି ବାବଦ ଦରମା ଏବଂ କାର୍ଯ୍ୟାଳୟର ଆକସ୍ମିକ ପାଣ୍ଠି ବାବଦ ମିଥ୍ୟା ଦାବି ଅନ୍ତର୍ଭୁକ୍ତ ଥିଲା। ଟଙ୍କା ହଡ଼ପ କରିବା ପାଇଁ ଏହି ଜାଲ୍ ବିଲ୍ ଏହି ଅର୍ଥ ଗ୍ରହଣ କରିବା ପାଇଁ ବନଲତାଙ୍କ ପୁଅ, ଡ୍ରାଇଭର ଓ ସହଯୋଗୀ ଙ୍କ ଭାଇ ଓ ସମ୍ପର୍କୀୟଙ୍କ ସମେତ ମୋଟ ୪୮ ଜଣ ବ୍ୟକ୍ତିଙ୍କ ନାମରେ ଥିବା ୭୭ଟି ବ୍ୟାଙ୍କ ଖାତାର ବ୍ୟବହାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଖାତାଧାରୀମାନେ ସେହି ଅର୍ଥର କିଛି ଅଂଶ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାଇ ଦେଇଥିଲେ କିମ୍ବା ନଗଦ ଟଙ୍କା ଉଠାଇ ସେମାନଙ୍କୁ ହସ୍ତାନ୍ତର କରିଥିଲେ। ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନିୟମିତତା ଧରାପଡ଼ିବା ଏବଂ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହେବା ପରେ ସେପ୍ଟେମ୍ବର ୭ ତାରିଖରେ ଦୁହିଁଙ୍କୁ ନିଲମ୍ବିତ କରାଯାଇଥିଲା।
କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ଆତ୍ମସାତ୍ କରାଯାଇଥିବା ଅର୍ଥ ମଧ୍ୟରୁ ୩.୯୬ କୋଟି ଟଙ୍କା ଉଦ୍ଧାର କରିସାରିଛନ୍ତି। ‘ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟ, ୧୯୮୮’ (ଭ୍ରଷ୍ଟାଚାର ନିବାରଣ ଆଇନ) ଏବଂ ‘ଭାରତୀୟ ନ୍ୟାୟ ସଂହିତା, ୨୦୨୩’ର ସମ୍ପୃକ୍ତ ଧାରା ଅନୁଯାୟୀ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅପରପକ୍ଷରେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

