ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରଭାବରେ ପାଣିପାଗର ଲୁଚକାଳି ଖେଳ ଜାରି ରହିଛି। ଗୋଟିଏ ପଟେ ଉଷ୍ମତା ଓ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବା ବେଳେ, ଅନ୍ୟପଟେ ହଠାତ୍ ବଦଳୁଥିବା ପାଣିପାଗ ସ୍ଥିତି ଲୋକଙ୍କ ଉଦ୍ବେଗ ବଢ଼ାଇଦେଇଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ତାଜା ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ଉତ୍ତର ରାଜ୍ୟର ଦୁଇ ଜିଲ୍ଲା କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ବିପଦର ଆଶଙ୍କା ଥିବାରୁ ଏଠାରେ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି।
ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଆଗାମୀ କିଛି ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି, ବିଜୁଳି ସହିତ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ପବନର ବେଗ ବୃଦ୍ଧି ପାଇବା ସହ ବଜ୍ରପାତର ତୀବ୍ର ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ। କେବଳ ଏହି ଦୁଇ ଜିଲ୍ଲା ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପାଗ ମେଘୁଆ ରହିବା ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ବିଜୁଳି ଓ ଘଡ଼ଘଡ଼ି ସମୟରେ ଧନଜୀବନ ନଷ୍ଟ ହେବାର ବ୍ୟାପକ ଆଶଙ୍କା ଥିବାରୁ, ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଘଡ଼ଘଡ଼ି ଓ ବିଜୁଳି ମାରୁଥିବା ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ ଏବଂ ସୁରକ୍ଷିତ ସ୍ଥାନରେ ବା କୋଠା ଘରେ ଆଶ୍ରୟ ନେବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେଉଥିବାରୁ ଆଗାମୀ ଦିନରେ ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି।
Comments are closed.