Latest Odisha News

BREAKING NEWS

ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ଗାଳ୍ପିକ ତଥା ଲେଖକ ତରୁଣକାନ୍ତି ମିଶ୍ର ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି ।

ତାଙ୍କ ଦ୍ୱାରା ଲିଖିତ କ୍ଷୁଦ୍ରଗଳ୍ପ ‘ଭାସ୍ବତୀ’ ପାଇଁ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ଏସମ୍ପର୍କରେ ସାହିତ୍ୟ ଏକାଡେମୀ ପକ୍ଷରୁ ବିଧିବଦ୍ଧ ଭାବେ ବୁଧବାର ଦିନ ଘୋଷଣା ତାଲିକା ପ୍ରକାଶ ପାଇଛି ।

ତରୁଣକାନ୍ତି ମିଶ୍ର ଜଣେ ଲୋକପ୍ରିୟ ଗାଳ୍ପିକ ଭାବରେ ପରିଚିତ। ମାତ୍ର ୧୪ବର୍ଷ ବୟସରେ ତରୁଣକାନ୍ତି ମିଶ୍ରଙ୍କର ସାହିତ୍ୟ ପ୍ରତିଭାର ପରିଚୟ ମିଳିଥିଲା। ସେ ସମୟରେ ପ୍ରସିଦ୍ଧ ପତ୍ରିକା ‘ଆସନ୍ତାକାଲି’ରେ ତରୁଣକାନ୍ତିଙ୍କ ପ୍ରଥମ ଗପ ‘ହେ ପୃଥିବୀର ନାଗରିକ’ ପ୍ରକାଶିତ ହୋଇ ଆଦୃତି ଲାଭ କରିଥିଲା ।

ତାଙ୍କର ବିଭିନ୍ନ ପୁସ୍ତକ ହିନ୍ଦୀ ଓ ଇଂରାଜୀ ସହ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି । ଶ୍ରୀ ମିଶ୍ର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ଭାବେ ରାଜ୍ୟ ସୂଚନା କମିଶନର ଭାବେ ଅବସ୍ଥାପିତ ହୋଇଥିଲେ । ସେ ୨୦୧୫ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।

ତାଙ୍କ ଲିଖିତ ପ୍ରାୟ ୧୮ଟି ପୁସ୍ତକ ପ୍ରକାଶିତ ହୋଇଛି। ତରୁଣକାନ୍ତି ମିଶ୍ର ପୂର୍ବରୁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଶାରଳା ପୁରସ୍କାର ପାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଆ ସମେତ ୨୩ଟି ଭାରତୀୟ ଭାଷା ପାଇଁ ଚଳିତ ବର୍ଷର ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି।

ଏକାଡେମୀର ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ୭ଟି କବିତା ଗ୍ରନ୍ଥ, ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୪ଟି ଉପନ୍ୟାସ, ୩ଟି ପ୍ରବନ୍ଧ ସଙ୍କଳନ ଏବଂ ଅଣ-ଫିକ୍‌ସନ, ଆତ୍ମଜୀବନୀ ଓ ଜୀବନୀ ଗ୍ରନ୍ଥ ରହିଥିବା ଏକାଡେମୀ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରରୁ ଜଣାପଡିଛି ।

ପୁରସ୍କାର ଆକାରରେ ବିଜେତା ମାନଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ତାରଫରୁ ମିଳିବ ଏକ ତାମ୍ର ଫଳକ ଓ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ।

ଆସନ୍ତା ୨୦୨୦ ଫେବ୍ରୁଆରୀ ୨୫ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେତାମାନଙ୍କୁ ଅକାଦେମି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.