Latest Odisha News

BREAKING NEWS

ବିଦାୟ ୨୦୨୦: ଏବର୍ଷ ଓଡ଼ିଶାର ଏସବୁ ପର୍ବପର୍ବାଣୀ ଓ ପରମ୍ପରାରେ ଲକ୍ଷ୍ମଣରେଖା ଟାଣିଲା କରୋନା

ଭୁବନେଶ୍ୱର: କରୋନା କାୟା ଭିତରେ ଚାଲିଗଲା ବର୍ଷ ୨୦୨୦ । ପର୍ବପର୍ବାଣୀ କୁହନ୍ତୁ କି ମନୋରଞ୍ଜନର ଯେଉଁ ସବୁ ମାଧ୍ୟମ ଥିଲା ସବୁ ଏକ ପ୍ରକାର ଠପ୍ ହୋଇଗଲା । ଲୋକଙ୍କ ପାଖରୁ ଖୁସିକୁ ଛଡ଼ାଇ ନେଲା ମହାମାରୀ । ଘରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଲା । କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ ରଖିବାକୁ କିଛି କାର୍ୟ୍ୟ ହୋଇଛି । ବନ୍ଦ ହୋଇଛି କିଛି ପର୍ବପର୍ବାଣୀ । ଏହାକୁ ନେଇ ଓଡ଼ିଶାର ସମ୍ବାଦର ବିଶେଷ ଉପସ୍ଥାପନା ।
ବିନା ଭକ୍ତରେ ରଥଯାତ୍ରା

ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରୋନା ସମୟରେ ହେବ କି ନାହିଁ, ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ପରମ୍ପରା ରହିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥ ଚଢ଼ି ବଡ଼ଦେଉଳୁ ବାହାରିଲେ ଶ୍ରୀଜିଉ । କିନ୍ତୁ ବିନା ଭକ୍ତରେ ହେଲା ରଥଯାତ୍ରା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିଥିବା ସେବାୟତ ଓ ପୋଲିସ ରଥ ଟାଣିଥିଲେ । ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ସବୁ ନୀତିକାନ୍ତ ବିନା ଭକ୍ତରେ ଶୃଙ୍ଖଳିତ ଭାବରେ ହୋଇଥିଲା । ଶ୍ରୀମନ୍ଦିର ଇତିହାସରେ ଏହା ଥିଲା ପ୍ରଥମ ।
ଦୁର୍ଲଭ ନାଗାଜୁର୍ନ ବେଶ ଦେଖି ପାରିଲାନି ଆଖି
ଦୀର୍ଘ ୨୫ ବର୍ଷ ପେର ଏବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାହାର୍ଜୁନ ବେଶ ଅନୁଷ୍ଠିତ ହେଲା । କିନ୍ତୁ ବହୁ ବର୍ଷରୁ ଅପେକ୍ଷା ରତ ଭକ୍ତ ଦେଖି ପାରିଲେ ନାହିଁ ଶ୍ରୀଜିଉଙ୍କର ଯୋଦ୍ଧା ବେଶ । କରୋନା ଯୋଗୁ ବିନା ଭକ୍ତରେ ଶ୍ରୀମନ୍ଦିର ଭିତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଲା । ସିଂହଦ୍ୱାର ଆଗରେ ଭକ୍ତ ପତିତପାବନଙ୍କୁ ଚାହିଁ ଆଶୀର୍ବାଦ ଭିକ୍ଷା କଲେ ।
ଫିକା ପଡ଼ିଲା ଦଶହରା
ଏବର୍ଷ ଖାଁ ଖାଁ ଥିଲା ଦଶହରା ମାହୋଲ । ପେଣ୍ଡାଲରେ ମାଆ ପୂଜା ପାଇଲେ । କିନ୍ତୁ ଦେଖି ପାରିଲେନି ଭକ୍ତ । ବିଭିନ୍ନ ପୂଜା କମିଟି କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ ରୀତିନୀତିରେ ମାଆଙ୍କ ପୂଜାର୍ଚ୍ଚନା କଲେ । ନଥିଲା ସାଜସଜ୍ଜା କି ସାଂସ୍କୃତିକ କାର୍ୟ୍ୟକ୍ରମ । ପୂଜା ମଜା ଓ ବେପାର ମାନ୍ଦା ହୋଇଥିଲା ।
ଅଟକିଗଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ
ଏକାମ୍ର କ୍ଷେତ୍ରରେ ଏବର୍ଷ ଗଡ଼ିଲାନି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ମହାମାରୀକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ରୁକୁଣା ରଥଯାତ୍ରା ଉପରେ ରୋକ ଲଗାଇଲା ପ୍ରଶାସନ । ତାପୂର୍ବରୁ କିନ୍ତୁ ରଥ ନିର୍ମା କାମ ସରିଥିଲା । କରୋନା ଯୋଗୁ ବର୍ଷ ବର୍ଷର ପରମ୍ପରା ଭଙ୍ଗା ହେଲା । ନେତ୍ର ଉତ୍ସବ କି ମରିଚିକୁଣ୍ଡ ପାଣି ମଧ୍ୟ ଆସି ନଥିଲା ।
ଗଡ଼ିଥିଲା ମା ବିରଜାଙ୍କ ରଥ
ଦଶହରାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରଥଯାତ୍ରା ହୋଇଥାଏ । ଭିନ୍ନ ଏକ ପରମ୍ପରା । ଶେଷ ଯାଏ ଅପେକ୍ଷା କରିଥିଲେ ସେବାୟତ ଓ ଭକ୍ତ । ମାଆଙ୍କ ରଥଯାତ୍ରା ହେବ କି ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥ ପ୍ରତିଷ୍ଠା ସହ ରଥ ଉପରେ ବିରାଜି ଥିଲେ ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ।ରଥାରୁଢ଼ ହୋଇ ମନ୍ଦିର ପରିକ୍ରମା କରିଥିଲେ । ଏଠାରେ ବି ଭକ୍ତ ରଥ ଟାଣି ନଥିଲେ । କୋଭିଡ୍ ନେଗେଟିଭ୍ ସେବାୟତ ଓ ପୋଲିସ ରଥ ଟାଣିଥିଲେ ।
କଟକଣା ଭିତରେ ଗଣପର୍ବ ନୂଆଁଖାଇ ପାଳିତ
କରୋନା କଟକଣା ଭିତରେ ପାଳିତ ହୋଇଥିଲା ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେଲା । ଘରେ ଘରେ ଲୋକ ପରିବାର ଭିତରେ ନୂଆଁଖାଇ ପାଳିଲେ । କିନ୍ତୁ ସାମୁହିକ ଭେଟଘାଟ କି ସାଂସ୍କୃତିକ କାର୍ୟ୍ୟକ୍ରମକୁ ଅନୁମତି ମିଳିଲା ନାହିଁ । ପରମ୍ପରା ରହିଲା । ନିରାଡମ୍ବର ଭାବରେ ପଶ୍ଚିମ ଓଡ଼ିଶାବାସୀ ଗଣପର୍ବରେ ନିଜକୁ ସାମିଲ କରିଥିଲେ ।
ବନ୍ଦ ହେଲା ଧନୁଯାତ୍ରା
ଏବର୍ଷ ବରଗଡ଼ରେ ଶୁଭିବ ନାହିଁ କଂସଙ୍କ ଅଟ୍ଟହାସ୍ୟ । କରୋନା ଯୋଗୁ ହେବନି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଏନେଇ ଧନୁଯାତ୍ରା ମହୋତ୍ସବ କମିଟି ନିଷ୍ପତ୍ତି ନେଇଛି । ବହୁ ବର୍ଷ ପରେ ବାତିଲ ହୋଇଛି ଧନୁଯାତ୍ରା ଆୟୋଜନ ।

୨୦୨୦ରେ କରୋନା ଲୋକଙ୍କ ହସଖୁସିକୁ ଛଡ଼ାଇ ନେଲା । ମେଳା ମହୋତ୍ସବ ନାହିଁ । ହଲରେ ବସି ସିନେମା ଦେଖିବା ବି ମାସ ମାସ ବନ୍ଦ ରହିଲା । ସାମାଜିକ, ସାଂସ୍କୃତିକ କାର୍ୟ୍ୟକ୍ରମ ବନ୍ଦ । ଭିଡ଼ ହେଉଥିବା ପର୍ବପର୍ବାଣୀ, ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ । ଏସବୁ ଭିତରେ ଧୈର୍ୟ୍ୟ ଓ ସାହସର ସହ ମହାମାରୀ ବିରୋଧରେ ସଂଗ୍ରାମ କରିଛନ୍ତି ଓଡ଼ିଶାବାସୀ ।

Leave A Reply

Your email address will not be published.