Latest Odisha News

BREAKING NEWS

ନିଜାମୁଦ୍ଦିନ୍ ତବଲିଘି ଜମାତ୍ ସମାବେଶରେ ଯୋଗ ଦେଇଥିଲେ ଓଡିଶାର ଷଷ୍ଠ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ଷଷ୍ଠ କରୋନା ପଜିଟିଭ ରୋଗୀ ମାର୍ଚ୍ଚ ମାସରେ ଆୟୋଜିତ ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଆୟୋଜିତ ତବଲିଘି ଜମାତ ସମାବେଶରେ ଯୋଗ ଦେଇ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଏ ସଂକ୍ରାନ୍ତରେ ସୂଚନା ଦେଇ ଓଡିଶା ସରକାରଙ୍କ କୋଭିଡ୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଦିଲ୍ଲୀର ଏହି ସମାବେଶରେ ଯୋଗ ଦେଇଥିବା ୨୭ ଜଣ ବ୍ୟକ୍ତିଙ୍କୁ ଓଡିଶାରେ ଠାବ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କର କୋଭିଡ୍‌୧୯ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଣଙ୍କର ପଜିଟିଭ ଆସିଛି । ଅନ୍ୟ ପାଞ୍ଚ ଜଣଙ୍କ ରିପୋର୍ଟ ଆସିବା ପାଇଁ ଅପେକ୍ଷା ରହିଛି । ସମସ୍ତ ୨୭ ଜଣଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ସେ କହିଛନ୍ତି ।

ରାଜ୍ୟର ଷଷ୍ଠ କରୋନା ପଜିଟିଭ ବ୍ୟକ୍ତିଙ୍କ ଘର କଟକରେ । କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ଏବେ କଟକ ଏସସିବିରେ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ତେବେ କେବଳ ଏହି ୨୭ ଜଣ ନୁହେଁ ସମାବେଶରେ ଓଡିଶାର ଆଉ ୪୦ ଜଣ ଯୋଗ ଦେଇଥିଲେ । କିନ୍ତୁ ସେମାନେ ଓଡିଶା ନ ଫେରି ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ଅଟକି ରହିଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.