ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସରଳ ଶବ୍ଦ ବ୍ୟବହାର
କରି ସତ୍ୟକୁ ବାରଂବାର
ଯେ ଲେଖେ କିଂବା ପାରେ କହି
ସବୁ ଉପେକ୍ଷା ଜାଣେ ସହି
ସମାଜ ହେଲେ ସତ୍ୟ-ଚ୍ୟୁତ
ସତ୍ୟଭାଷୀର ମତାମତ
ମୁଖ୍ଯତଃ ହୁଏ ଉପେକ୍ଷିତ
ଏହା ଏ ସମୟର ସତ
ସତ୍ୟକୁ କରିଲେ ବଚନ
ତହିଁର ମାନ ହୁଏ ମ୍ଳାନ
ସତ୍ୟକୁ କଲେ ଅଂତର୍ଗତ
ନିଃଶଂକ ହୁଏ ମନ, ଚିତ୍ତ
ଯେ କରେନାହିଁ ବୁଝାମଣା
ତାହାକୁ ଅସହ୍ୟ ଯଂତ୍ରଣା
ସଂସାରେ ସହିବାକୁ ପଡ଼େ
ତଥାପି ସେ ସତ୍ୟ ନ ଛାଡ଼େ
ସତ୍ୟ କହିଲେ ଭାରମୁକ୍ତ
ସ୍ବଭାବେ ହୋଇଥାଏ ଚିତ୍ତ
ତେଣୁ ତ ଜଣେ ସତ୍ୟଭାଷୀ
ନିଜକୁ ମଣେନାହିଁ ଦୋଷୀ
ସତ୍ୟକୁ ନ କଲେ ସ୍ବୀକାର
ମନରେ ବିବିଧ ବିକାର
ଗଢ଼ଂତି ନିଜ ନିଜ ଘର
ଜୀବନ ହୁଏ କଷ୍ଟକର
ଅନୁଭୂତିରୁ ଜାତ ସତ୍ୟ
ମାନିଲେ ବ୍ୟକ୍ତିର ବ୍ୟକ୍ତିତ୍ୱ
କ୍ରମଶଃ ହୁଏ ବିକଶିତ
ହୁଏ ନିଶ୍ଚୟ ସର୍ବହିତ
କାଳ ଓ ସ୍ଥଳ ଅନୁସାରେ
ସତ୍ୟ ଅନେକ ରୂପ ଧରେ
ସତ୍ୟ ନ ହୁଏ ଯେଣୁ ସ୍ଥିର
ହୁଏନି ଆୟତ୍ତ କାହାର
ଅର୍ଧସତ୍ୟ ଓ ପୂର୍ଣସତ୍ୟ
ମିଠାସତ୍ୟ ଓ କଟୁସତ୍ୟ
ପ୍ରିୟସତ୍ୟ, ଅପ୍ରିୟସତ୍ୟ
ଗ୍ରାହ୍ୟସତ୍ୟ, ଅଗ୍ରାହ୍ୟସତ୍ୟ
ବିଭିନ୍ନ ନାମେ ବିଭାଜିତ
ହେଲେ ହିଁ ମଣିଷର ଚିତ୍ତ
ଅଯଥା ହୁଏ ଆଂଦୋଳିତ
ରହିବ କେଉଁଟି ସହିତ
Comments are closed.