ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଂକଳ୍ପବଦ୍ଧ ଦୃଢ଼ ଚିତ୍ତ
ବାଛିନିଏ ନିଜର ପଥ
ହୁଏ ଚିଂତାର ଅଗ୍ରଦୂତ
ନ ହୋଇ ବୃଥା ବିଚଳିତ
ଏପରି ନିଷ୍ଠାବାନ୍ କବି
ମନରେ ନାନା କଥା ଭାବି
ତହିଁରୁ ଅଳ୍ପ କିଛି ବାଛି
ରଖେ ଅକ୍ଷରାକାରେ ସଂଚି
ତତ୍କାଳ ପ୍ରାପ୍ତ ମତାମତ
ପ୍ରତିକ୍ରିୟାରେ ରସାଣିତ
କରିପାରେନି ଯେଣୁ ହିତ
ନ ଦିଏ ତାହାକୁ ଗୁରୁତ୍ବ
ଭାଷାକୁ କଲେ ଅଳଂକୃତ
ମୂଳ ଭାବନା ହୁଏ ଲୁପ୍ତ
ତେଣୁ ତ ସାଦାସିଧା କଥା
ପାଲଟେ ବାସ୍ତବ କବିତା
ବାସ୍ତବତାକୁ ଅସ୍ବୀକାର
କରିବା ନୁହେ ଦରକାର
ତେଣୁ ଲେଖକ ପରିଷ୍କାର
ହେବାର ଚେଷ୍ଟାରେ ତତ୍ପର
ଜୀବନ ସହ ତାଳମେଳ
ନ ରଖି ଖେଳିଲେ କେବଳ
ତାହା ହୁଏନି ସତ୍ୟଲେଖା
ଯେତେ ବି ଲେଖିଲେ ଅଧିକା
ସହଜ ଭାଷାରେ ଲିଖନ
ହେଲେ ହେଁ ଆମ ପ୍ରୟୋଜନ
ଅଯଥା ଶବ୍ଦ ଆଡ଼ଂବର
ଦିଶୁଛି ନିତି ବାରଂବାର
ନିଜ ପାଂଡିତ୍ୟ ପ୍ରଦର୍ଶନ
ପୂର୍ବ କାଳର ମୁଖ୍ୟ ଗୁଣ
ଥିଲେ ହେଁ ଏବେ ଲୋଡ଼ାନାହିଁ
ଜ୍ଞାନ ଦେଖାଉଁ କାହା ପାଇଁ ?
ଅଳ୍ପ ଜ୍ଞାନକୁ ପୂର୍ଣ ଜ୍ଞାନ
ଭାବିଲେ ଉତ୍ସାହୀ ସୁଜନ
ତାଂକର ଚିଂତା ଓ ଭାବନା
ପ୍ରାୟତଃ ହୋଇଥାଏ ବଣା
ଅଭ୍ୟାସ ମାତ୍ରକେ ବାଧକ
ସ୍ବାଧୀନ ଚିଂତାର ରୋଧକ
ଏହି ଧାରଣା କଲେ ସ୍ପଷ୍ଟ
ଜ୍ଞାନ ସଂଧାନ ନୁହେ କଷ୍ଟ
ନିଜ ପ୍ରତ୍ୟକ୍ଷ ଅନୁଭୂତି
ଜଗାଏ ଅଂତର୍ଗତ ଶକ୍ତି
ତାହା ହିଁ ଶୁଦ୍ଧଚିତ୍ତ ଭକ୍ତି
ଘଟାଏ ନିଶ୍ଚିତ ଉନ୍ନତି
ଦୁଶ୍ଚିଂତା ଚିତ୍ତର ବଇରି
ଉଦ୍ୟମ ଦେଇପାରେ ମାରି
ତାହାକୁ ନ ଦେଲେ ଗୁରୁତ୍ବ
ଆପେ ଆପେ ହୋଇବ ମୃତ