ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଏତେ ଲୋକଙ୍କ ଭିତରୁ କେବଳ ତା’ସହ ହିଁ କାହିଁକି ଏମିତି ଘଟିଲା? ଏ ଯନ୍ତ୍ରଣା ଠକି ହେଇଯାଇଥିବାର, ହାରିଯାଇଥିବାର ଏ ଅନୁଭବ ଏକଦମ ଅସହ୍ୟ ସତରେ । ନିଜର ପ୍ରିୟ ପରିଜନଙ୍କୁ ହରେଇଥିବା ଜଣେ ମଣିଷ ହିଁ ଏ ଯବଣାକୁ ବୁଝିପାରିବ କେବଳ । ବୀରା ଏଥର ତା’ ତକିଆକୁ ଟିକେ ସୁବିଧାଜନକ ଭାବରେ ଧରିଲା, ଆଉ ମନେପକେଇଲା କେତେବାର ସେ ତା’ ସମୀରା ଦି’ ସହିତ ଝଗଡ଼ା କରିଥିବ ଏବଂ ତାକୁ ଏ ଦୁନିଆର ସବୁଠୁ ଖରାପ ଭଉଣୀ ବୋଲି ଗାଳି ଦେଇଥିବ! କିନ୍ତୁ ସତ କହିଲେ, ସମୀରା ଦି’ ଏକଥାର ସବୁ
ଠିକ୍ ବିପରୀତ ଥିଲା । ସେ ସବୁବେଳେ ଗୋଟେ ଭଲ ଭଉଣୀ, ଆଜ୍ଞାଧୀନା ଝିଅ, ସଚ୍ଚା ଦୋସ୍ତ, ପରିଶ୍ରମୀ ଛାତ୍ରୀ, ଗୋଟେ ଭଲ ଖେଳୁଆଡ଼, ଆଉ ସବୁଠୁ ବଡ଼କଥା ଭାରୀ ବିଶ୍ୱସ୍ତ ମଣିଷଟିଏ ଥିଲା । ବୀରା ସବୁବେଳେ ଭାବେ ଯେ ଈଶ୍ୱର ସମୀରା ଅପେକ୍ଷା ତା’ ନିଜକୁ ଗୋଟେ ଭଲ ଭଉଣୀ ଦେଇଛନ୍ତି ।
ଏସବୁ ଭାବିଲାବେଳକୁ ତା’ ଆଖିରେ ଲୁହ ଭର୍ତ୍ତି ହୋଇ ଗାଲ ଉପର ଦେଇ ତା’ର ତକିଆ ଓଦା କରି ଦେଉଥିଲା । ଏସବୁ ଏବେ ଜୀବନଚର୍ଯ୍ୟାର ଏକ ସାଧାରଣ ଅଂଶ ପାଲଟିଗଲାଣି । ବୀରା କାନ୍ଦିକାନ୍ଦି
ଶୋଇପଡ଼େ ଏବଂ ତା\’ର ଜାମା ଓ ତକିଆ ଭିଜେଇ ନିଦରୁ ଉଠେ । ସାଧାରଣ ଭାବରେ ସେ ନିହାତି ଗୋଟେ କାନ୍ଦୁରୀ ଝିଅ ନୁହେଁ । ସେ କ୍ୱଚିତ୍ କାନ୍ଦେ । ଆଉ ତକିଆ ଭିଜେଇ ଦେଲାପରି କାନ୍ଦିବା : କେବେ ବି ନୁହେଁ ।
ଏଥର ସେ କଡ଼ ଲେଉଟାଇ ତା’ର ଫୋନ୍ ଆଣି ସମୟ ଦେଖିଲା : ସକାଳ ୭.୫୩ ମିନିଟ୍ । ଗଭୀର ପ୍ରଶ୍ୱାସ ନେଇ ଉଠିବସିଲା । ଆଖି ପୋଛି ତା’ର ପୋଷାକ ଧରି ଗାଧୁଆ ଘରକୁ ଚାଲିଗଲା । ପ୍ରାୟ କୋଡ଼ିଏ ମିନିଟ୍ ପରେ ଆଇନା ସାମ୍ନାରେ ଛିଡ଼ାହୋଇ ନିଜ କେଶବିନ୍ୟାସ କରୁ କରୁ ଦେଖିଲା, ତା\’ର ଆଖି ଏକଦମ୍ ଲାଲ୍ ଦେଖାଯାଉଥିଲା । ଲାଗୁଥିଲା ଲୁହ ନୁହେଁ ରକ୍ତ ଜମାଟ ବାନ୍ଧି ଯାଇଛି ଯେମିତି । ଆଖିରେ
ସାମାନ୍ୟ କଜ୍ଜ୍ୱଳ ଲଗେଇଲା । ତା’ପରେ ପର୍ସ, ଓ ଫୋନ୍ ଧରି ରୁମ୍ ତାଲା ପକେଇ ବହୁକଷ୍ଟରେ କିଛି ଘଟି ନଥିବା ପରି ଦେଖେଇବାକୁ ଚେଷ୍ଟା କରି ରୁମ୍ରୁ ବାହାରିଲା ।
କ୍ରମଶଃ
Comments are closed.