Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆମେ ଏକାଦଶୀ ନୀତି ବିଷୟରେ ଜାଣିଲେ l ପ୍ରତ୍ୟେକ ଏକାଦଶୀ ତିଥିରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ l ତେଣୁ ତିନି ଜଣ ଚୁନରା ସେବକ ମହାଦୀପ ସହ ବାର (୧୨ ଟି )ଚନ୍ଦ୍ରଉଦିଆ ନେଇ ମନ୍ଦିର ଉପରେ ଚଢିଥାନ୍ତି l ଦଧି ନଉତି ତଳେ ଠିଆ ହୋଇ ତୁଳସୀ ଚନ୍ଦନ ନୀଳଚକ୍ରଙ୍କୁ ଲାଗିକରନ୍ତି l ଏହାପରେ ମହାଦୀପ ଧରି ନୀଳ ଚକ୍ର ଚାରିପଟେ ତିନି ଘେରା ବୁଲନ୍ତି l ପ୍ରତ୍ୟେକ ଦିଗରେ ତିନୋଟି ଲେଖାଏଁ ଚନ୍ଦ୍ରଉଦିଆ ଜାଳି ଥାନ୍ତି l ସବୁଠାରୁ ଆକର୍ଷଣୀୟ କଥା ହେଉଛି ଏହି ନୀଳଚକ୍ର ଚାରିପାଖରେ ବୁଲିବା ସମୟରେ ସେବକମାନେ ଗଜପତି (ପୁରୀ ର ରାଜା )ଙ୍କ ନାମ ଧରି ପାର୍ଥନା କରିବା ସହ କହିଥାନ୍ତି “ଶଙ୍ଖେ ପୁରାଇ, ଚକ୍ର ଆଢୁଆଳ କରନ୍ତୁ “ହେ ମହାବାହୁ ବୋଲି ଡାକ ଦିଅନ୍ତି ଓ ହରିବୋଲ ମଧ୍ଯ ଡାକିଥାନ୍ତି l

ଏହା ଗୋଟିଏ ଏକାଦଶୀର ଗତାନୁଗତିକ କାର୍ଯ୍ୟକ୍ରମ l କିନ୍ତୁ ପ୍ରତ୍ୟେକ ବାର ଅନୁସାରେ ଏହି ଏକାଦଶୀ ପାଳନରେ କିଛିଟା ବିଶେଷ ନୀତି ପାଳିତ ହୋଇଥାଏ l ବିଶେଷତଃ ସୋମବାର ଦିନ ଏକାଦଶୀ ପଡ଼ିଲେ ଏହାକୁ ଶମ୍ଭୁ ଏକାଦଶୀ କୁହାଯାଏ ଓ କିଛି ଅତି ବିଶେଷ କାର୍ଯ୍ୟକ୍ରମ ହୋଇଥାଏ l ସେହିପରି ବିଶେଷ କାର୍ଯ୍ୟକ୍ରମ ଗୁରୁବାର ରେ ଏକାଦଶୀ ପଡ଼ିଲେ ମଧ୍ଯ ହୋଇଥାଏ l ଆଗାମୀ ଅଧ୍ୟାୟରେ ସେ ସବୁର ବିଷଦ ଆଲୋଚନା କରିବା l ଏବେ କିନ୍ତୁ ସମୟ ଆରାଧନାର ଓ ଭାଗବତ ପଠନ କରିବାର ପରମ୍ପରା ପାଳନ l

ବିଷ୍ଣୁ ମୁଁ ଆଦିତ୍ୟ ମଧ୍ୟରେ
ନୀଳ ଲୋହିତ ରୁଦ୍ରଙ୍କରେ l
ବ୍ରହ୍ମ ଋଷିରେ ଭୃଗୁ ମୁହିଁ
ରାଜ ଋଷିରେ ମନୁ ହୋଇ l
ଦେବ ଋଷିରେ ମୁଁ ନାରଦ
ମୁଁ କlମଧେନୁ ଧେନୁ ମଧ୍ୟେ l

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.