Latest Odisha News

ଭାଷା ଭାଗବତ : ଅଲୋଡ଼ା ଜ୍ଞାନ-ଭିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଯାହାକୁ ଯାହା ଲାଗେ ଭଲ
ତାହା କରିଲେ କଲବଲ
ହୋଇ ପାଏନି ଭଲ ଫଳ
ସାରେ ସଂବଳ ଆଉ ବଳ

ଭଲ ଲାଗେ କି ଭଲ ହୁଏ
ପାର୍ଥକ୍ଯ ବୁଝିପାରେ ଯିଏ
ସେ କରିଚାଲେ ଆତ୍ମୋନ୍ନତି
ହୁଏନି ଖୁବ୍‌ ବେଶି କ୍ଷତି

କ୍ଷଣିକାନଂଦ ପ୍ରାପ୍ତି ପାଇଁ
ନିଜକୁ ସୁଦ୍ଧା ଭୁଲିଯାଇ
ଯେ କାମ କରେ ମନଇଚ୍ଛା
ଦୁର୍ଦଶା ଛାଡ଼େନି ତା ପିଛା

ନ କଲେ ଆତ୍ମନିୟଂତ୍ରଣ
ସ୍ବେଚ୍ଛା-ଚାଳିତ କାର୍ଯମାନ
ହୁଅଂତି ଆପେ ଅସଂଗତ
ଉତ୍ସାହ ହୁଏନାହିଁ ଜାତ

ପ୍ରତିଭା ଲାଳନପାଳନ
ନିମଂତେ ଲୋଡ଼ା ଧ୍ୟାନ, ଯତ୍ନ
ସେତିକି ନ ପାରିଲେ କରି
ମଣିଷ ଯାଉଥାଏ ହାରି

ବ୍ୟକ୍ତି ଅଭ୍ୟାସ ବଶବର୍ତୀ
ହେଲେ ହରାଇ ପ୍ରାଣଶକ୍ତି
ସଂଭାଳେନାହିଁ ଅନନ୍ୟତା
ଆପେ ହଟେନି ଅବ୍ୟବସ୍ଥା

ଥିଲେ ବି ବହୁ ସଂଭାବନା
ନ କଲେ ସୁସ୍ଥିର ସାଧନା
ହୁଏନି ବ୍ୟକ୍ତିତ୍ବ ବିକାଶ
ବ୍ୟକ୍ତିର ସତ୍ତା ହୁଏ ନାଶ

ନବାକ୍ଷରୀ ପଦ୍ୟର ଗୁଣ
ସର୍ବଦା ସଂଯତ ଲିଖନ
ଭାବର ସାରାଂଶ ବ୍ୟାଖ୍ୟାନ
ବୁଝଂତି ଜନସାଧାରଣ

ଅନବରତ ଏହି ଶୈଳୀ
ଏବର ଭାବନା ସଂଖୋଳି
କରୁଛି ଭାଷାକୁ ସମୃଦ୍ଧ
ପଥ ହୋଇନି ଅବରୁଦ୍ଧ

ଏହାକୁ ମିଳୁଛି ଆଦର
ଏହା ହିଁ ଆମ ଭାଷା-ଘର
ଚିଂତନ ବିବିଧ ପ୍ରକାର
ଅଟେ ଏହାର ଅଳଂକାର

ଶୈଳୀରେ ପରୀକ୍ଷା, ନିରୀକ୍ଷା
ଦେଇନି ଭାଷାକୁ ସୁରକ୍ଷା
ପ୍ରତ୍ୟକ୍ଷ ହେଲେ ଆଦ୍ୟ ଶିକ୍ଷା
ଅନାବଶ୍ୟକ ଜ୍ଞାନଭିକ୍ଷା

ଖଂଟ, ଦୁର୍ଜନ ଗଢ଼ି ମେଂଟ
ହୁଅଂତି ଯଦିଚ ସଚେଷ୍ଟ
ହୁଏ ଉତ୍ତମତାର ଜୟ
ନ ରହୁ ମନେ ତିଳେ ଭୟ

Comments are closed.