ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା ଜାଣିଥିଲା ଏହାର କାରଣ କ’ଣ! ସିଡ଼୍ ତା’ର ପୁରା ନାଁ “ସିଦ୍ଧାର୍ଥ”କୁ ଘୃଣା କରେ ଏବଂ ଏ ନାଁ ଧରି ଡାକୁଥିବା ଲୋକମାନଙ୍କୁ ବି । ଏହି “ସିଦ୍ଧାର୍ଥ” ଡାକଟା ଛଡ଼ା ଆଉ ପ୍ରାୟ କୌଣସି ଜିନିଷ ତାକୁ ଏତେ ବିରକ୍ତ କରେ ନାହିଁ ।
“ହାଏ ଡାଡ଼୍”, କଣ୍ଠରେ କୌଣସି ଉତ୍ସାହ ନ ଆଣି ସିଡ଼୍ କହିଲା । ବୀରା ବୁଝିପାରୁ ନଥାଏ ଯେ ଏ ଦୁଇଜଣ
ଯାକ ପରସ୍ପର ପ୍ରତି କ’ଣ ପାଇଁ ଏତେ ବିତସ୍ପୃହ । ସେ ଯେତିକି ଜାଣେ ସିଡ଼୍ ନିହାତି ଏକ ଖୁସିବାସିଆ ପିଲା, ଯିଏ ତା’ର ରାଗ କିମ୍ବା ଘୃଣାକୁ ନିୟବଣରେ ରଖିପାରେନି । କାହା ଉପରେ ବେଶୀ ସମୟ ଯାଏଁ ରାଗ ମଧ୍ୟ ରଖିପାରେନି ।
କାର୍ ପାର୍କିଙ୍ଗ ଆଡ଼କୁ ଚାଲି ଚାଲି ଯାଉଥିଲା ବେଳେ ବୀରା ଧୀର ସ୍ୱରରେ ରୋହାନ୍କୁ ପଚାରିଲା, “ଅଙ୍କଲ୍ ଆଉ ସିଡ଼୍ ଭିତରେ ଏତେ ଦୂରତ୍ୱ କ\’ଣ ପାଇଁ?” ମିଃ. ପରିମଲ ଆଗେ ଆଗେ ଚାଲିଥା’ନ୍ତି ଏବଂ ତାଙ୍କ ଟିକିଏ ପଛରେ ସିଡ଼୍ । “ମୁଁ ଠିକ୍ ଭାବରେ କହିପାରିବିନି ବୀରା । ବେଳେବେଳେ ମୁଁ ନିଜେ ବି ବୁଝିପାରେନି ।
ଆମେ ସାଉଥାମ୍ପ୍ଟନ୍ରେ ଆଈଙ୍କ ପାଖରେ ରହିବା ଘଟଣାରେ ସିଡ଼୍, ଡାଡ଼୍ଙ୍କ ଦୋଷ ଦେଲାବେଳେ, ଡାଡ଼୍ ଭାବନ୍ତି, ସିଡ଼୍ ଯୋଗୁଁ ହିଁ ଆମେ ଦୁହେଁ ସେମାନଙ୍କ ଠାରୁ ଅଲଗା ହୋଇଗଲୁ । ଉଭୟ ନିଜ ବିଚାରରେ ଭୁଲ୍ । କିନ୍ତୁ ସେମାନେ ନିଜ ନିଜକୁ ଠିକ୍ ବୋଲି ମନେକରନ୍ତି ।” ଗୋଟେ ଦୁଃଖଭରା କଣ୍ଠରେ ରୋହାନ୍ କହିଲା ।
“ସେ ଯାହା ବି ହେଉ, ସିଡ଼୍ର ଯତ୍ନ ନେବାକୁ ତା’ ପାଖରେ ଅନ୍ତତଃ ତା’ର ପରିବାର ଅଛି, ଯୁକ୍ତି କରିବାକୁ ଡାଡ଼୍ ବି ଅଛନ୍ତି । ମୋ’ ପାଖରେ ସେତକ ବି ନାହିଁ,” ଦୁଃଖ ଓ ହତାଶାଭରା କଣ୍ଠରେ ବୀରା କହିଲା ।
ରୋହାନ୍ ବୁଲିପଡ଼ି ତାକୁ ଚାହିଁଲା ତ ବୀରା ଦୀର୍ଘଶ୍ୱାସଟେ ପକେଇ କହିଲା, “ସରି! ଗତ କେତେ ସପ୍ତାହ ଧରି ଖୁବ୍ କଷ୍ଟକର ସମୟ ଦେଇ ମୁଁ ବଂଚୁଛି । ମୋ\’ ପରିବାର ଆଉ ନାହିଁ, ମୁଁ ତାକୁ ସବୁଦିନ ପାଇଁ ହରେଇ ସାରିଛି ବୋଲି, ମୋ’ ମନ ଗ୍ରହଣ କରିବା ପାଇଁ ରାଜି ନୁହେଁ ।” ବୀରାର ଗଳା ରୁଦ୍ଧ ହୋଇଯାଉଥାଏ, ସତେ ଯେମିତି ଫାଟି ପଡ଼ିବ ।
କ୍ରମଶଃ
Comments are closed.