ରଞ୍ଜିତା ରାଣୀ ହୋତା
ତୁମେ ପଦ୍ମିନୀ ସୂର୍ଯ୍ୟମୁଖୀ ମୁଁ ପ୍ରଣୟର ଦୁଇଧାର,
ତୁମେ ଛଳ ଛଳ ପୁଣ୍ୟତୋୟା ଗୋ ଫଲଗୁଟିଏ ମୁଁ ଛାର।
ତନୁସିନା ମୋର କନକ ବରଣା , କନକ କପାଳ ତବ
ହୃଦତନ୍ତ୍ରୀର ସ୍ନିଗ୍ଧ ସୁର ମୁଁ ତୁମେ ଅଭିନବ ସ୍ତବ।
ନିଶିଶେଷେ ଯେବେ ପ୍ରାଚୀଦେଶେ ନବାରୁଣ ତନ୍ଦ୍ରାରୁ ଜାଗେ,
ତୁମରି କପୋଳ ରକ୍ତିମ ହୁଏକି ବିପୁଳ ଅନୁରାଗେ।
ତପନ ତପତ କର ଆଶ୍ଲେଷେ ବନ୍ଦିନୀ ଯେବେ ହୁଅ
ଉତ୍ତାଳ ସମ ମୋ ତନୁରେ ଛୁଟେ ଲକ୍ଷେ ବିଜୁଳି ସୁଅ ।
ମାଗିନାହିଁ କେବେ ମିହିର ମଧୁର ପରଶ ମୋ ଜୀବନରେ ,
ମାଗୁଣି କେବଳ ବହୁଦୂରେ ଥାଇ ଦେଖୁଥିବି ନୟନରେ
ହୃଦ ସିଂହାସନ କେହି କାହାଠାରୁ ଛଡ଼ାଇ ନିଏ କି ବଳେ ?
ସୁବର୍ଣ୍ଣ ପାଖୁଡ଼ା ଝରାଉଥିବି ଗୋ ରବି ଚଲାପଥ ଧାରେ।
ତୁମେ ପ୍ରାପ୍ତିର ମଧୁର ମୁରତି , ପିତୁଳା ମୁଁ ପ୍ରତୀକ୍ଷାର
ତୁମେ ପ୍ରିୟତମା ପରମ ପ୍ରିୟର ପ୍ରେମିକାଟିଏ ମୁଁ ଛାର।
Comments are closed.