ଭୁବନେଶ୍ୱର: ଓଡ଼ିଶାରେ ସାରର ସାର କଳାବଜାରୀ ଓ ନିଅଣ୍ଟିଆ ବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲା ଓଡ଼ିଶା କୃଷକ ଜନତା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ସେଲ୍ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତି ଯେ, ପ୍ରାୟ ୭୦% ଲୋକ ଚାଷ ଉପରେ ନିର୍ଭରଶୀଳ। ତା ଭିତରେ ଭାଗଚାଷୀଙ୍କ ସଂଖ୍ୟା ସର୍ବାଧିକ । ଚାଷର ଠିକ୍ ରୁଆ ପୋତା ସମୟରେ ଚାଷୀମାନଙ୍କୁ ସାର ନମିଳିବା ଯୋଗୁଁ ଚାଷୀକୂଳର ସାଂଘାତିକ କ୍ଷତି ହେଉଛି ।
ସେ କହିଥିଲେ ଯେ, ଚାଷ ହେଉଛି ଓଡ଼ିଶାର ଜୀବନରେଖା । ସରକାର ଏବଂ ସୋସାଇଟି, ମନ୍ତ୍ରୀ, କଳାବଜାରୀ ଓ ଅଫିସରମାନଙ୍କ ମଧୁ ଚନ୍ଦ୍ରିକାରେ ଚାଷ ଓ ଚାଷୀଙ୍କ ଅବସ୍ଥା ବିପର୍ଯ୍ୟସ୍ତ । ଡବଲ ଇଞ୍ଜିନ୍ ଏବେ ଟ୍ରବୁଲ ଇଞ୍ଜିନ୍ ହୋଇଯାଇଛି । ସାର ପାଇଁ ବରଗଡ଼, ନୟାଗଡ଼, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା ସମେତ ପ୍ରାୟ ସବୁ ଜିଲ୍ଲାର ଚାଷୀ ରାତିଅନିଦ୍ରା ହୋଇ ଲାଇନ ଲଗାଉଥିଲେ ବି ସାର ମିଳୁନାହିଁ । ଏ ସରକାର ଚାଷୀର ଦୁଃଖ ଦୁର୍ଦ୍ଦଶାର ମୁଖ୍ୟ ନାୟକ ।
ୟୁରିଆ ଦର ୫୦କେଜି ବସ୍ତା ପିଛା ୨୬୬ ଟଙ୍କା ଥିବାବେଳେ, ତାହା ଚାଷୀ ୫ ଶହରୁ ୬ ଶହ ଟଙ୍କାରେ କିଣୁଛି । ଯେଉଁ ଗ୍ରୋମର ସାର ୫୦ କେଜି ବସ୍ତା ପିଛା ୨୦୨୫ରେ ୧୨୦୦ ଟଙ୍କା ରହିଥିଲା, ଏବର୍ଷ ଦର ୨୧୦୦ରେ ପହଞ୍ଚି ଯାଇଛି । କିନ୍ତୁ ବିଡ଼ମ୍ବନାର ବିଷୟ ଚାଷୀ ୨୭୦୦ରୁ ୨୮୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛି । ୨୦୧୬ ମସିହାରେ ପ୍ରତି ଏକର ଚାଷଜମିରେ ୟୁରିଆ ୨ ବସ୍ତା, ଗ୍ରୋମର ୨ ବସ୍ତା ପିଛା ପ୍ରାୟ ୩୧୫୫ ଟଙ୍କା ଖର୍ଚ୍ଚ ହେଉଥିଲା ।
ବର୍ତ୍ତମାନ ୨୦୨୬ରେ ଚାଷୀ ପକେଟରୁ ୭୦୦୦ ଟଙ୍କା ଖର୍ଚ୍ଚ ହେଉଛି । ପୁଣି ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ୫୦ କେଜି ସାର ବସ୍ତା ପାଇଁ ଟଙ୍କା ନେଉଛନ୍ତି, ହେଲେ କଳାବଜାରରେ ବସ୍ତା ୪୫କେଜି ଓଜନର ମିଳୁଛି । କଥାରେ ଅଛି ଚାଷ ତରତର ବଣିଜ ମଠ । ଠିକ୍ ଚାଷବାଷ ଆରମ୍ଭ ସମୟରେ ସରକାର ନୂଆ ବିକଳ୍ପ ସାର କଥା କହି ଚାଷୀମାନଙ୍କୁ ଅଧିକ ଭାରାକ୍ରାନ୍ତ କରୁଛନ୍ତି । ମୋଦି ସରକାର ୧.୧୬ ଟ୍ରିଲିଅନ୍ ସାର ସବସିଡି ବାବଦରେ ବଜେଟରେ ପ୍ରାବଧାନ କରିଥିଲେ ମଧ୍ୟ କେବଳ ସାର କମ୍ପାନୀମାନେ ତା’ର ଲାଭ ନେଉଛନ୍ତି । ଚାଷୀ କଳାବଜାରୀର ଶିକାର ହେଉଛି ଏବଂ ତାର ଅମଳ ପାଇଁ ଖର୍ଚ୍ଚ କ୍ରମାଗତ ଭାବେ ବଢ଼ିଚାଲିଛି। ଓଡ଼ିଶାର ୩ହଜାରରୁ ଅଧିକ ମଣ୍ଡି ଥିଲେ ମଧ୍ୟ ପ୍ରାୟ ୧ ହଜାର ମଣ୍ଡିର ସରକାରୀ ଅନୁମତି ନବୀକରଣ ହେଉନାହିଁ କି ସାର ଆସୁନାହିଁ। ଯାହାଫଳରେ ଅଘୋଷିତ ଭାବେ ସାର କଳାବଜାରୀ କରିବା ପାଇଁ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ।
ଓଜେସି କୃଷକ ସେଲ୍ ତରଫରୁ ଦାବି କରାଯାଇଛି ଯେ, ସରକାର ନିୟମରେ ପରିବର୍ତ୍ତନ କରନ୍ତୁ; ସାର ନେବା ପାଇଁ ସୋସାଇଟିରେ ଜଣେ ମେମ୍ବର ହୋଇଥିବା ଏବଂ ଲୋନି ହୋଇଥିବା ଆବଶ୍ୟକ। ସବୁ ମଣ୍ଡି ଓ PACS/LAMPCSରେ ସାର ଆବଶ୍ୟକ ପରିମାଣରେ ମହଜୁଦ ରଖାଯାଉ । ନୂଆ ସାର -NPK ଦର ବହୁତ ଅଧିକ। ସରକାର ନୂଆ ସାର ଏକ୍ସପେରିମେଣ୍ଟ ବନ୍ଦ କରନ୍ତୁ ଓ ଚାଷୀମାନଙ୍କର ଆର୍ଥିକ ବୋଝ ବଢ଼ାନ୍ତୁ ନାହିଁ।
କଳାବଜାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ସମସ୍ତଙ୍କୁ ତୁରନ୍ତ ଗିରଫ କରାଯାଇ ଜେଲ୍ ପଠାଯାଉ । ଗ୍ରୋମର ସାର ଦରରେ ବସ୍ତା ପିଛା ଯେଉଁ ୧ ହଜାର ଟଙ୍କା ବୃଦ୍ଧି କରିଛନ୍ତି ତାହା ଚାଷୀମାନଙ୍କୁ ସବସିଡିରେ ଦିଆଯାଉ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସିର ଉପସଭାପତି ନଜିବୁର ରେହମାନ ଖାନ୍, ଓଜେସି ପ୍ରତିଷ୍ଠାତା ସଦସ୍ୟ ତଥା କୃଷକ ନେତା ଦୁର୍ଗା ଚରଣ ବାରିକ ଉପସ୍ଥିତ ଥିଲେ ।