Latest Odisha News

BREAKING NEWS

Strait of Hormuz: ବଢିଲା ଇରାନ ସହ ଟଣାଓଟରା, ମ୍ୟାପ୍ ଜାରି କରି ହର୍ମୁଜ୍‌କୁ ‘ଆମେରିକାର ନୂଆ ଅଞ୍ଚଳ’ କହିଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ୍‌ ପ୍ରଣାଳୀକୁ ନେଇ ବଡ଼ ଦାବି କରିଛନ୍ତି। ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ସୋସିଆଲ୍‌ ଆକାଉଣ୍ଟରେ ହର୍ମୁଜ୍‌ ପ୍ରଣାଳୀର ଏକ ଚିତ୍ର ସେୟାର କରି ଏହାକୁ ‘New U.S. Territory’ (ନୂଆ ଆମେରିକୀୟ ଅଞ୍ଚଳ) ବୋଲି ଉଲ୍ଲେଖ କରିଛନ୍ତି। ଏହି ପୋଷ୍ଟକୁ ନେଇ ମଧ୍ୟପ୍ରାଚ୍ୟରେ କୂଟନୈତିକ ଉତ୍ତେଜନା ଆହୁରି ବଢ଼ିଛି।

ଟ୍ରମ୍ପ ଶନିବାର ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟରେ ହର୍ମୁଜ୍‌ ପ୍ରଣାଳୀର ଚିତ୍ର ସହ “ଆମେରିକାର ନୂଆ ଅଞ୍ଚଳ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍” ବୋଲି ଲେଖିଥିଲେ। ଏହା ପୂର୍ବରୁ ଅଗଷ୍ଟ ୧୪ରେ ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଥିଲେ ଯେ ହର୍ମୁଜ୍‌ ପ୍ରଣାଳୀକୁ ଖୁବଶୀଘ୍ର ଆମେରିକାର ଅଞ୍ଚଳ ଘୋଷଣା କରାଯିବ। ଅଗଷ୍ଟ ୧୮ରେ ମଧ୍ୟ ସେ ସମାନ ଦାବି କରୁଥିବା ଏକ ଚିତ୍ର ସେୟାର କରିଥିଲେ।

ହର୍ମୁଜ୍‌ ପ୍ରଣାଳୀ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଜଳପଥ ଦେଇ ବିଶ୍ୱର ପ୍ରାୟ ପଞ୍ଚମାଂଶ ଅଶୋଧିତ ତୈଳ ପରିବହନ ହୋଇଥାଏ। ତେଣୁ ହର୍ମୁଜ୍‌ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଲେ ବିଶ୍ୱ ତୈଳ ଯୋଗାଣ ଓ ଅନ୍ତର୍ଜାତୀୟ ସପ୍ଲାଏ ଚେନ୍‌ ଉପରେ ବଡ଼ ପ୍ରଭାବ ପଡ଼ିପାରେ। ଟ୍ରମ୍ପ ପ୍ରଶାସନର ଦାବି ହେଉଛି, ତେହରାନ୍‌ ଏହି ଜଳପଥକୁ ପୁନଃ ଖୋଲିବା ଆବଶ୍ୟକ। ଅନ୍ୟପକ୍ଷରେ ଇରାନ୍‌ ସ୍ପଷ୍ଟ କରିଛି ଯେ ହର୍ମୁଜ୍‌ ଉପରେ ତାହାର ନିୟନ୍ତ୍ରଣ ରହିବ।

ଇରାନର ସୁପ୍ରିମ୍‌ ନ୍ୟାସନାଲ୍‌ ସିକ୍ୟୁରିଟି କାଉନସିଲ୍‌ର ସଚିବ ମୋହସେନ୍‌ ରେଜାଇ ଟ୍ରମ୍ପଙ୍କ ଦାବିକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ହର୍ମୁଜ୍‌ ଖୋଲିବାରେ ଆମେରିକାର ଅସମର୍ଥତା ଓ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରିବା ମଧ୍ୟରେ ବଡ଼ ବିରୋଧାଭାସ ରହିଛି। ଏହି ଉତ୍ତେଜନା ମଧ୍ୟରେ ଇରାନ ଓ ଓମାନ ହର୍ମୁଜ୍‌ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ପାଇଁ ଏକ ସୁରକ୍ଷିତ ରୁଟ୍‌ ସମ୍ପର୍କରେ ଚୁକ୍ତି କରିଛନ୍ତି। ତେବେ ଇରାନର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍‌ ବାଘାଇ କହିଛନ୍ତି ଯେ ଆମେରିକା ପକ୍ଷରୁ ଲଗାଯାଇଥିବା କଟକଣା ଓ ନୌସେନା ଅବରୋଧ ହଟିବା ପରେ ହିଁ ହର୍ମୁଜ୍‌ରେ ସମ୍ପୂର୍ଣ୍ଣ ସୁରକ୍ଷା ଫେରିପାରିବ।

ଇରାନର ଏହି ପଦକ୍ଷେପରେ ଆମେରିକା ଅସନ୍ତୁଷ୍ଟ ଥିବା ମଧ୍ୟ ଖବର ଆସିଛି। ଓମାନ ଯଦି ଇରାନ ସହ ଏହି ବୁଝାମଣାରେ ବାଧା ସୃଷ୍ଟି କରେ, ତେବେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି ଟ୍ରମ୍ପ। ତେବେ ଟ୍ରମ୍ପଙ୍କ ଏହି ଧମକ ଉପରେ ଓମାନ ପକ୍ଷରୁ କୌଣସି ତତ୍କାଳ ପ୍ରତିକ୍ରିୟା ମିଳିନାହିଁ।

ହର୍ମୁଜ୍‌କୁ ନେଇ ଟ୍ରମ୍ପଙ୍କ ନୂଆ ଦାବି ଏବଂ ଇରାନର କଡ଼ା ପ୍ରତିକ୍ରିୟା ଯୋଗୁଁ ଏହି ରଣନୈତିକ ଜଳପଥକୁ କେନ୍ଦ୍ର କରି ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଆହୁରି ଗଭୀର ହେବାର ଆଶଙ୍କା ଦେଖାଦେଇଛି।

Comments are closed.