Latest Odisha News

BREAKING NEWS

ଭିକ ମାଗି ମନ୍ଦିରକୁ ଦାନ କଲେ ଲକ୍ଷେ ଟଙ୍କା

ଫୁଲବାଣୀ: ସେ ନିରୋଳା ଭକ୍ତଟିଏ । ତାଙ୍କର କିଛି ଲୋଡା ନାହିଁ । ସବୁ ସମର୍ପି ଦେଇଛନ୍ତି ଜଗନ୍ନାଥଙ୍କୁ । ତାଙ୍କୁ ଦେଖିଲେ ମନେ ପଡିଯାଏ ସେଇ ଭାବାବେଗ ଭରା ଭଜନ ଜଗନ୍ନାଥ ହୋ….କିଛି ମାଗୁନାହିଁ ତୋତେ..ଧନ ମାଗୁନାହିଁ . ଜନ ମାଗୁନାହିଁ… । ସେଥିପାଇଁ ବୋଧହୁଏ ସେ ଯାହା ମାଗି ମାଗି ରଖିଥିଲେ ସବୁ ପ୍ରଭୁଙ୍କ ଶ୍ରୀପୟରରେ ଅଜାଡି ଦେଲେ । ହଁ ଆାଜ୍ଞା,  ଆମେ କହୁଛୁ ଜଣେ ଭକ୍ତ ଭିକାରୁଣୀର କଥା । ଯିଏ ସାରା ଜୀବନ ଭିକ ମାଗି ସଞ୍ଚିଥିବା ଅର୍ଥ ଜଗନ୍ନାଥ ମନ୍ଦିରରେ ସମର୍ପି ଦେଇଛି ।

ଏଇ ଭକ୍ତ ଭିକାରୁଣୀ ଜଣକ ଫୁଲବାଣୀର  । ଉକ୍ତ ବୃଦ୍ଧାଙ୍କୁ ଏବେ ଚାରିଆଡୁ ଛୁଟୁଛି ପ୍ରଂଶାସର ସୁଅ । ଖରା ବର୍ଷାରେ ବିଭିନ୍ନ ମନ୍ଦିର ସାମ୍ନାରେ ବସୀ ଭିକ୍ଷl ମାଗୁଥିଲେ ।  ଯାହା ସଞ୍ଚୟ କରିଥିଲେ ତାକୁ ଫୁଲବାଣୀର ପୁରୁଣା ଜଗନ୍ନାଥ ମନ୍ଦିରର ମରାମତି ପାଇଁ ଦାନ କରି ଦେଇଛନ୍ତି  ।

ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା (୭୦)  ।  ଜଗନ୍ନାଥ ମନ୍ଦିର କମିଟିକୁ ସେ ଏହି  ଟଙ୍କା ଦାନ କରିଛନ୍ତି ।   ୪୦ ବର୍ଷ ହେବ ଭିକାରୁଣି ଜଣକ ଫୁଲବାଣୀରେ ଥିବା ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗୁଥିଲେ ।

ପ୍ରଥମେ ଦିବ୍ୟାଙ୍ଗ ସ୍ୱାମୀ ପ୍ରଫୁଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ଏକା ଏକା ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇ ଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ ତୁଳା  ।

ପରିଣତ ବୟସରେ ତାଙ୍କ ସଞ୍ଚିତ ଅର୍ଥ ଭଗବାନକୁ ପାଖରେ ସମର୍ପି ଦେବାକୁ ସ୍ଥିର କରିଥିଲେ ତୁଳା ଓ ତାଙ୍କ ପାଳିତ ଝିଅ ।   ସେଥିପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପାଖକୁ ଯାଇ  ୧ଲକ୍ଷ ଟଙ୍କା ଦାନ କରି ଆସିଛନ୍ତି  ।

ଜଗନ୍ନାଥ ମନ୍ଦିର ପରିଚାଳନ କମିଟି ସଭାପତ ସୁନାଶିର ମହାନ୍ତିଙ୍କ ଉପସ୍ଥିତିରେ  ତୁଳା ଏହି ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିର ପୁନରୁଦ୍ଧାର  ସହ ସେଠାରେ ସାଧୁ ସନ୍ଥମାନଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ସଭାପତି କହିଛନ୍ତି ।

Leave A Reply

Your email address will not be published.