Latest Odisha News

BREAKING NEWS

ମେଗା ସିରିଏଲରେ ନଜର ଆସିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର: ଜୀ-ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡକ୍ସନ ଓଡ଼ିଆ ଟେଲିଭିଜନ ଜଗତରେ ଏକ ନୂଆ ଅଧ୍ୟାୟ ରଚନା କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ନୂଆ ଓଡ଼ିଆ ଧାରାବାହିକ ‘କେମିତି କହିବି କହ’ । ଏହି ମେଗା ଧାରାବାହିକର ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜୁଛନ୍ତି ଜଣାଶୁଣା ଅଭିନେତ୍ରୀ ସୁପ୍ରିୟା । ଏହା ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ ପରିଚିତ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ  ଦେଖିବାକୁ ମିଳିବ । ଛୋଟପରଦାର ଦର୍ଶକ ପ୍ରଥମ ଥର ପାଇଁ ସିଦ୍ଧାନ୍ତଙ୍କୁ ଏକ ମେଗା ଧାରାବାହିକରେ ଦେଖିବାକୁ ପାଇବେ ।

ପୂର୍ବରୁ ସିଦ୍ଧାନ୍ତ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ଚୋରାବାଲି’ରେ ଅଭିନୟ କରିଥିଲେ ତେବେ ତାହା ମାତ୍ରା ୧୩ ଏପିସୋଡ ବିଶିଷ୍ଟ ଥିଲା, ଆଉ ଏହି ମେଗା ଧାରାବାହିକ ଏହା ୩୦୦ ଏପିସୋଡ ବିଶିଷ୍ଟ ରହିଛି । ସିଦ୍ଧାନ୍ତଙ୍କ ଅସଂଖ୍ୟ ପ୍ରଶଂସକ ଏବଂ ଛୋଟ ପରଦାର ଅଗଣିତ ଦର୍ଶକଙ୍କ ପାଇଁ ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନର ଏହା ସବୁଠୁ ବଡ ଉପହାର ତଥା ନୂଆ ବର୍ଷର ଭେଟି । ଓଡ଼ିଆ ସିନେମାର ସୁପରିଚିତ ନିର୍ଦ୍ଦେଶକ ସୁଶାନ୍ତ ମଣି ମେଗା ଧାରାବାହିକ ‘କେମିତି କହିବି କହ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏବଂ କ୍ୟାମେରା ପରିଚାଳନା କରିଛନ୍ତି ଜଣାଶୁଣା କ୍ୟାମେରାମ୍ୟାନ ସୀତାଂଶୁ ମହାପାତ୍ର ।

ନୂଆ କିଛି କରିବାର ଆଭିମୁଖ୍ୟ ନେଇ ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଦୁନିଆରେ ପାଦ ରଖିଥିଲା ଅକ୍ଷୟ ପରିଜା ପ୍ରଡକ୍ସନ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଏହା ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି । ଜୀ-ସାର୍ଥକ ସହ ଅକ୍ଷୟ ପରିଜା ପ୍ରଡକ୍ସନ ନୂଆ ବର୍ଷରେ ଭେଟି  ‘କେମିତି କହିବି କହ’ ଦର୍ଶକ ପସନ୍ଦ ରହିବ ବୋଲି ଆଶା ରହିଛି ।

Leave A Reply

Your email address will not be published.