Latest Odisha News

BREAKING NEWS

ଓଡ଼ିଶା ଖଣି ନିଗମର ୬୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ନିଗମ (OMC) ୬୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ସେ କହିଥିଲେ, ୧୯୫୬ରୁ ଆରମ୍ଭ ହୋଇଥିବା ଓଏମସି ଦୀର୍ଘ ଯାତ୍ରାର ପଥିକ ହୋଇ ଏବେ ଦେଶର ବଡ଼ ମାଇନିଂ କମ୍ପାନୀ ଭାବେ ଉଭା ହୋଇଛି ।

ଓଏମସି ମାଧ୍ୟମରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ନିଗମ ଲୋକଙ୍କୁ ସହାୟତାର ହାତ ବଢ଼ାଉଛି । ବିଶେଷକରି ଖଣି ଅଞ୍ଚଳରେ ଥିବା ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ପାଇଁ ଓଡ଼ିଶା ଖଣି ନିଗମ କାର୍ଯ୍ୟ କରୁଥିବା କହିଛନ୍ତି ମନ୍ତ୍ରୀ । ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଆକଂକ୍ଷାଙ୍କୁ ଓଏମସି ପୂରଣ କରିଥିବା ମନ୍ତ୍ରୀ କହିଛନ୍ତି ।

ସେହିଭଳି ଓଏମସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ କହିଛନ୍ତି, ବିଗତ ୨ରୁ ୩ ବର୍ଷ ଓଏମସି ପାଇଁ ସୁବର୍ଣ୍ଣ ଯୁଗ ଅଟେ । ଏହି ସମୟରେ ଓଡ଼ିଶା ଖଣି ନିଗମ ଉଚ୍ଚ ସୋପାନକୁ ଉଠିଛି । ୨ରୁ ୩ ବର୍ଷରେ ବାର୍ଷିକ ୩୦ ହଜାର କୋଟି ଟର୍ଣ୍ଣ ଓଭର ସହ ୧୦ ହଜାର କୋଟି ଲାଭ ପାଇଁ ଲକ୍ଷ୍ୟ ରଖି କାମ କରିବାକୁ ସମସ୍ତ କର୍ମଚାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ଏଥିସହ କର୍ମଚାରୀଙ୍କ କଲ୍ୟାଣ, ଗୋଷ୍ଠୀ ଉନ୍ନୟନ ଓ ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଓଏମସିର ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଆଇଏଫ୍ଏସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଖୋରା, ସତ୍ୟଜିତ ମହାନ୍ତି, ନିର୍ଦ୍ଦେଶକ (ଅର୍ଥ), ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା), ଅଶୋକ କୁମାର ପାଲ୍, ନିର୍ଦ୍ଦେଶକ (ମାନବ ସମ୍ବଳ), କ୍ଷିରୋଦ ଚନ୍ଦ୍ର ବ୍ରହ୍ମା, ନିର୍ଦ୍ଦେଶକ (ପ୍ରକଳ୍ପ ଓ ପରଯୋଜନା) ପ୍ରମୁଖ ଉପସ୍ଥିତ ଥିଲେ ।

୨୦୨୨-୨୩ ଆର୍ଥିକ ବର୍ଷରେ ଓଏମସି ୩୩.୭୬ ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ କରିଛି । ଯେଉଁଥିରେ ଲୁହାପଥର, କ୍ରୋମ୍ ଓ ବକ୍ସାଇଟ୍ ରହିଛି ।

Leave A Reply

Your email address will not be published.