Latest Odisha News

ଅନୁଗୁଳରେ ପୂର୍ବ ଶତ୍ରୁତାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼, ୨ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଛି । ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ପାତ୍ରପଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ୨ଟି ଗୋଷ୍ଠୀ ମଧ୍ୟରେ କିଛିଦିନ ହେବ ଉତ୍ତେଜନା ବୃଦ୍ଧି ପାଇ ଆସୁଥିଲା । ତେବେ ରବିବାର ବିଳମ୍ବିତ ରାତିରେ ଏହି ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମରେ ଗୁଳିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ କିଛି ଯୁବକ ଦୁଇଟି ଗାଡ଼ିରେ ଗ୍ରାମର ଧରଣୀଧର ସାହୁଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ । ଏହି ପାଟିତୁଣ୍ଡ ମଧ୍ୟରେ ଏହି ଯୁବକମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଗୁଳିଚାଳନାରେ ଧରଣୀଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଗୁରୁତର ଆହତ ହୋଇପଡ଼ିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଧରଣୀଙ୍କୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାକୁ ପଠାଇଥିଲେ ।

ଛେଣ୍ଡିପଦା ପୋଲିସ ଘଟଣାସ୍ଥଳକୁ ଆସି ଛାନଭିନ୍ନ କରିବା ସହିତ ଏହି ଘଟଣାରେ ୨ଜଣ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଛି । ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.