ନୂଆଦିଲ୍ଲୀ : ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପପତି କ୍ରୀଡାବିତ ତଥା କର୍ପୋରେଟ ହାଉସମାନେ କରୋନା ରିଲିଫ ପାଇଁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରୁଛନ୍ତି । ଏ ଦିଗରେ ଏକ ଅଭିନବ ପ୍ରୟାସ ସହିତ ଏବେ ସାମିଲ ହୋଇଛନ୍ତି ଦେଶର ପ୍ରମୁଖ ଆନ୍ତର୍ଜାତୀୟ ଚେସ୍ ଖେଳାଳି ।
ଆସନ୍ତା ୧୧ ତାରିଖରେ ଏକ ଅନଲାଇନ ଚେସ୍ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଭାରତର ପୂର୍ବତନ ବିଶ୍ୱ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦଙ୍କ ସମେତ ଗ୍ରାଣ୍ଡ ମାଷ୍ଟର ଭିଦିତ ଏସ୍. ଗୁଜରାତି, ପି. ହରିକ୍ରିଷ୍ଣା, ବାସକରନ ଅଧିବନ ଏଥିରେ ଭାଗ ନେବେ । ଦେଶର ଦୁଇ ଟପ୍ ମହିଳା ଖେଳାଳି କୋନେରୁ ହମ୍ପି ଓ ଦ୍ରୋନାଭଲି ହରିକା ମଧ୍ୟ ଭାଗ ନେବେ । ୨୦ଟି ବୋର୍ଡରେ ଖେଳ ହେବ ।
ଏହି ଖେଳର ସିଧାପ୍ରସାରଣ ଆପଣମାନେ chess.com/tv ରେ ଦେଖିପାରିବେ । ଏଥିରୁ ଯାହା ଅର୍ଥ ରାଶି ସଂଗ୍ରହ ହେବ ତାହା ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରାଯିବ ବୋଲି ସୂଚନା ମିଳିଛି ।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ଖେଳାଳି ବ୍ଲିଜ କିମ୍ବା ଫିଡେ ରେଟିଂରେ ୨ହଜାର ର୍ୟାକିଂ ମଧ୍ୟରେ ରହିଥିବା ଆବଶ୍ୟକ ।
କରୋନା ସଂକ୍ରମଣ ଭୟରେ ବିମାନ ଚଳାଚଳ ବନ୍ଦ ଥିବାରୁ ଆନନ୍ଦ ବର୍ତ୍ତମାନ ଜର୍ମାନୀରେ ଅଟକି ରହିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘କୋଭିଡ ୧୯ ମୁକାବିଲା ପାଇଁ ଭାରତୀୟ ଚେସ୍ କମ୍ୟୁନିଟିକୁ ସାହାଯ୍ୟର ହାତ ବଢାନ୍ତୁ ।’
ଚେନ୍ନାଇର ଖେଳାଳି ଅଧିବନ କହିଛନ୍ତି ‘ଏ ପ୍ରକାର ଖେଳକୁ ନେଇ ସେ ବେଶ୍ ଉତ୍ସାହିତ । ଏକ କାମ ପାଇଁ ସେ ସହ ଯୋଗ କରୁଥିବାରୁ ସେ ବେଶ୍ ଖୁସି ଅଛନ୍ତି ।’
Comments are closed.