Latest Odisha News

BREAKING NEWS

କରୋନା ସଙ୍କଟ ବେଳେ କଳାକାରମାନଙ୍କ ମନୋବଳ ଦୃଢ କରୁଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’

ଭୁବନେଶ୍ୱର: ନୃତ୍ୟାନୁଷ୍ଠାନ ଲାସ୍ୟକଳା ପକ୍ଷରୁ ପ୍ରତି ରବିବାର ଆୟୋଜିତ ହେଉଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’ । ଲକ୍ ଡାଉନ ଯୋଗୁଁ ଘରେ ରହୁଥିବା ନୃତ୍ୟଶିଳ୍ପୀମାନଙ୍କର ଯେପରି ମନୋବଳ ଦୁର୍ବଳ ନ ହୁଏ ସେଥି ପାଇଁ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏପରି ଉଦ୍ୟମ କରିଛନ୍ତି । ଜାତୀୟ ସ୍ତରରେ ଏହା ପ୍ରଥମ ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ । ବିଶ୍ୱ ମାତୃତ୍ୱ ଦିବସ ଅବସରରେ ଏହାକୁ ଆରମ୍ଭ କରିଛନ୍ତି ଶାଶ୍ୱତ ।

ଲକଡାଉନ ଯୋଗୁଁ ସମସ୍ତେ ଘରେ ରହୁଛନ୍ତି । ତେବେ ଏହି ସମୟରେ ସମସ୍ତେ କେଉଁଠି ନା କେଉଁଠି ଖୁସିରେ ଅଛନ୍ତି । କରୋନା ମହାମାରୀର ରୂପ ନେଇଥିବା ବେଳେ ତଥାପି ଆଶା ଆଗକୁ ଯାହା ହେବ ଭଲ ହେବ । ଏହି ଆଶାରେ ଲାସ୍ୟକଳା ଆରମ୍ଭ କରିଛି ‘ହାପି ଫର୍ ହୋପ୍‌’ ଫେଷ୍ଟିଭାଲ । ଏହା ଜରିଆରେ ରାଜ୍ୟର କୋଣ ଅନୁକୋଣ ତଥା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ନୃତ୍ୟଶିଳ୍ପୀ ଘରେ ରହି ନୃତ୍ୟ ପରିବେଷଣ କରୁଛନ୍ତି । ଯାହାକୁ ଫେସବୁକ ଜରିଆରେ ଲାଇଭ ଦେଖିପାରୁଛନ୍ତି ଦର୍ଶକ । ପ୍ରତି ରବିବାର ୧୦ ଜଣ ନୃତ୍ୟ ପରିବେଷଣ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡିଶୀ, ସମ୍ବଲପୁରୀ, ରଣପା, ଚଢେଇ ଚଢେଇଆଣି, କଣ୍ଢେଇ ନାଚ କଥକ, ବିହୁ ତଥା ହଜିଯାଉଥିବା ଅନେକ ନୃତ୍ୟକଳା ଏଥିରେ ପରିବେଷିତ ହେଉଛି ।

ଏ ନେଇ ଶାଶ୍ୱତ କହିଛନ୍ତି ଯେ, ‘ହାପି ଫର୍ ହୋପ୍‌’ର ମୂଳ ଲକ୍ଷ୍ୟ ହେଉଛି, ‘କଳାକାରମାନଙ୍କୁ ଉତ୍ସାହିତ କରିବା ଓ ସଶକ୍ତ କରିବା । ପୂର୍ବରୁ ସୋସିଆଲ ମିଡିଆ ବ୍ୟବହାର କରୁ ନଥିବା କଳାକାର ବା ନୃତ୍ୟଶିଳ୍ପୀ ଏବେ ଏହା ମାଧ୍ୟମରେ ନିଜ କଳା ପ୍ରଦର୍ଶନ କରିପାରୁଛନ୍ତି । ଫଳରେ ସେମାନଙ୍କ ମନରେ ଏବେ ଏକ ସଶକ୍ତ ଭାବନା ସୃଷ୍ଟି ହେଉଛି ।’

କରୋନା ମହାମାରୀ ଯୋଗୁଁ କଳାକାରମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ କଳାକାରମାନଙ୍କୁ କଳାକାରଟିଏ ହିଁ ସାହାଯ୍ୟ କରିବାକୁ ଆଗେଇ ଆସିବା ଉଚିତ୍ ବୋଲି ଶାଶ୍ୱତ ବିଶ୍ୱାସ କରନ୍ତି । କେଣୁ ଲାସ୍ୟକଳା ଫଣ୍ଡରୁ ସେ କଳାକାରମାନଙ୍କୁ ଗତ ପାଞ୍ଚ ସପ୍ତାହ ହେଲା ଗ୍ରୋସରୀ ଯୋଗାଇ ଆସୁଛନ୍ତି ।

ଶାଶ୍ୱତଙ୍କ ଏହି ଉଦ୍ୟମ ଫଳରେ କଳାକାରମାନେ ବେଶ୍ ଉତ୍ସାହିତ ହେଉଥିବା କହିଛନ୍ତି ।

Leave A Reply

Your email address will not be published.