ଭୁବନେଶ୍ୱର:ଅନ୍ୟ ରାଜ୍ୟରେ ନିଖୋଜ ଓ ଚାଲାଣ ହୋଇଥିବା ଓଡ଼ିଆ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବାରେ ସଫଳତା ଅର୍ଜନ କରିଛି ଓଡ଼ିଶା ପୋଲିସ । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ପକ୍ଷରୁ ହୋଇଥିବା ଅଭିଯାନ ଅପରେସନ୍ ଅନ୍ୱେଷଣ ଦ୍ବାରା ମୋଟ ୧୦୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁଙ୍କ ମଧ୍ୟରେ ୫୪ ଜଣ ପୁଅ ଓ ୪୭ ଜଣ ଝିଅ ରହିଛନ୍ତି ।
ସୂଚନାଥାଉକି, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି । ସର୍ବାଧିକ ୩୦ ଶିଶୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ସେହିପରି ୧୧ ଜଣ କର୍ଣ୍ଣାଟକରୁ, ଝାଡ଼ଖଣ୍ଡରୁ ୧୦, ତାମିଲନାଡୁରୁ ୧୦ ଜଣ ଶିଶୁ ଉଦ୍ଧାର କରାଯାଇଛି ।
କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW)ଏଡିଜି ଏସ୍. ସାଇନି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୮୩ ଜଣଙ୍କୁ (୪୬ ପୁଅ ଓ ୩୭ ଝିଅ) ଶିଶୁ ଯତ୍ନ ଅନୁଷ୍ଠାନ (CCL)ରେ ଠାବ କରାଯାଇଥିଲା । ସେହିପରି ୭ ଜଣ ଶିଶୁ (୬ ପୁଅ ଓ ଜଣେ ଝିଅ) ଶ୍ରମ ସ୍ଥଳରୁ ଠାବ କରାଯାଇଛି । ଏଥିସହ ଉଦ୍ଧାର ହୋଇଥିବା ୧୧ଟି ଶିଶୁ (୨ ପୁଅ ଓ ୯ ଝିଅ) ରାଜ୍ୟରେ ନିଖୋଜ ସଂକ୍ରାନ୍ତରେ ରିପୋର୍ଟ ହେବା ସହ ମାମଲା ରୁଜୁ କରାଯାଇଥିଲା । ଉଦ୍ଧାର ଶିଶୁଙ୍କୁ ସେମାନଙ୍କ ପରିବାର ସହ ପୁଣି ଏକାଠି କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।
ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା । ଦେଶର ୧୭ଟି ରାଜ୍ୟକୁ ଓଡ଼ିଶାରୁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଯାଇଥିଲା ।

