Latest Odisha News

BREAKING NEWS

ଆଷ୍ଟ୍ରୋ ଫଟୋଗ୍ରାଫି ପାଇଁ ଓଡିଶାରେ କେତେ ରହିଛି ସୁଯୋଗ?

ଭୁବନେଶ୍ୱର: ଫଟୋଗ୍ରାଫି ସମ୍ପର୍କରେ ପ୍ରାୟ ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି । ହେଲେ ତନ୍ମଧ୍ୟରୁ ଆଷ୍ଟ୍ରୋ ଫଟୋଗ୍ରାଫି ଅନ୍ୟତମ । ଯାହା ବର୍ତ୍ତମାନ ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ହେଲେ ଖୁବ୍ କମ୍ ଲୋକ ଏସମ୍ପର୍କରେ ଜାଣିଥିବେ ।

ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଇଥାଏ । ଯାହାର ଏକମାତ୍ର ଉଦେଶ୍ୟ ରହିଛି ଫଟୋଗ୍ରାଫରଙ୍କୁ ଉତ୍ସାହିତ ଓ ତାଙ୍କ କାର୍ଯ୍ୟକୁ ସମ୍ମାନିତ କରିବା । ଆସନ୍ତୁ ଜାଣିବା ଓଡିଶାରେ ଆଷ୍ଟ୍ରୋ ଫଟୋଗ୍ରାଫିକୁ ନେଇ କେତେ ସୁଯୋଗ ରହିଛି ।

ରାକେଶ ରାଉଳ- ଚଳିତ ବର୍ଷ ଧୂମକେତୁ ଫଟୋ ଉତ୍ତୋଳନ କରି ରାକେଶ ଓଡିଶାର ଦ୍ୱିତୀୟ ଓ ଭୁବେନଶ୍ୱରର ପ୍ରଥମ ଫଟୋଗ୍ରାଫର ହୋଇ ପାରିଥିଲେ । ଦିନେ ଫଟୋ ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ଏହି ଯୁବକ ଆଜି ଜଣେ ଜଣାଶୁଣା ଫଟୋଗ୍ରାଫର ପାଲଟିଛନ୍ତି ।

ଗତ ଦୁଇ ବର୍ଷ ତଳେ ଆଷ୍ଟ୍ରୋ ଫଟୋଗ୍ରାଫିରେ ମନୋନିବେଶ କରିଥିବା ରାକେଶ କୁହନ୍ତି ଯେ ମୋତେ ସବୁବେଳେ ଆଷ୍ଟ୍ରୋ ଓ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ପ୍ରତି ଇଚ୍ଛା ଥିଲା ହେଲେ ମୁଁ ଜାଣିପାରୁନଥିଲି କେମିତି କରିବି । ସେତେବେଳେ ଭାବୁଥିଲି ଆଷ୍ଟ୍ରୋ ଫଟ୍ରୋଗ୍ରାଫି ପାଇଁ ମୋତେ ଅଧିକ ଇକୁ୍ୟମପେଣ୍ଟ ଦରକାର । କିନ୍ତୁ ପରେ ଅନଲାଇନରେ ବହୁ ପଢା ପଢି କରିବା ପରେ ଏବିଷୟରେ ଅଧିକ ଜାଣିବାକୁ ପାଇଲି ।

ତା’ପରେ ଏଥିପାଇଁ ଆବଶ୍ୟକୀୟ ଉପାଦାନକୁ ଯୋଗାଡ କରି ପ୍ରଥମେ ଘରର ଛାତ ଉପରୁ ବିଭିନ୍ନ ଗ୍ରହର ଫଟୋ ଉଠାଇଥିଲି । ପରେ ବାହାରି ପଡିଥିଲି ବିଭିନ୍ନ ଗ୍ରହ, ଚନ୍ଦ୍ର, ଧୂମକେତୁ ଓ ଉଲକା ପିଣ୍ଡ ଖସୁଥିବାର ଫଟୋ ଉତ୍ତୋଳନ କରିବାରେ । ପ୍ରଥମ କରି ୨୦୧୯ରେ ଆକାଶ ଗଙ୍ଗାର ଫଟୋ ଉଠାଇ ପାରିଥିଲି । ଆଷ୍ଟ୍ରୋ ଫଟୋଗ୍ରାଫି କରିବା ଏତେଟା ସହଜ ନୁହେଁ।

ଆକାଶ ମେଘାଚ୍ଛନ୍ନ, ଅନ୍ଧାରିଆ ଓ ପ୍ରଦୂଷଣ ମୁକ୍ତ ରହିଲେ ହିଁ ଜଣେ ଫଟୋଗ୍ରାଫର ପାଇଁ ଫଟୋ ଉଠାଇବା ସହଜ ହୁଏ । ଚଳିତ ଜୁଲାଇରେ ମୁଁ ଉଠାଇଥିବା ଧୂମକେତୁର ଫଟୋ ପାଇଁ ମୋତେ ରାତି ରାତି ଅନିଦ୍ରା ରହିବାକୁ ପଡିଥିଲା ।

ଭୁବନେଶ୍ୱରରେ ପାଗ ଖରାପ ହୋଇଯିବାରୁ ଫଟୋ ଉଠାଇବା ଏତେଟା ସହଜ ହୋଇନଥିଲା । ଯେଉଁଥିପାଇଁ ଅତ୍ୟନ୍ତ ଧୈର୍ଯ୍ୟର ସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲିବୁଲି ପରିଶେଷରେ ପାଖାପାଖି ୧୦ ଦିନର ଅପେକ୍ଷା କରିବା ପରେ ଧୂମକେତୁ ଫଟୋ ଉଠାଇପାରିଥିଲି ।

ଓଡିଶାରେ ଆଷ୍ଟ୍ରୋ ଫଟୋଗ୍ରାଫି ପାଇଁ ଏତେଟା ସୁଯୋଗ ନାହିଁ । ହେଲେ ଯେତେବେଳେ ଫଟୋଗ୍ରାଫରଙ୍କ ବିନା ଅନୁମତିରେ ଫଟୋ ଗୁଡିକୁ ଚୋରି କରି ଅନ୍ୟତ୍ର ବ୍ୟବହାର କରାଯାଏ । ଏପରିକି ଫଟୋରେ ସେମାନଙ୍କ ନାଁ ମଧ୍ୟ ଦିଆଯାଏନି, ସେତେବେଳେ ଖୁବ୍ କଷ୍ଟ ଲାଗିଥାଏ ।

କାହିଁକି ନା ଜଣେ ଫଟୋଗ୍ରାଫର ରାତି ରାତି ଅନିଦ୍ରା ଏବଂ ବିନା ପାରିଶ୍ରମିକରେ ଖୁବ୍ ଧୈର୍ଯ୍ୟର ସହ ଫଟୋ ଉଠାଇଥାଏ । ଲୋକମାନେ ତାଙ୍କ ଫଟୋକୁ ଚୋରି କରିବା ବଦଳରେ ସେହି ଫଟୋଗ୍ରାଫରଙ୍କୁ କିଛିଟା ସମ୍ମାନ ଦେବା କଥା । ଯଦି ଲୋକମାନେ ନିଜର ଏଭଳି ମାନସିକତାକୁ ପରିବର୍ତ୍ତନ କରିପାରନ୍ତି, ତାହେଲେ ଫଟୋଗ୍ରାଫର ମାନେ କିଛିଟା ଉପକୃତ ହୋଇପାରିବେ ।

ଓଡିଶାରେ ଏସମ୍ବନ୍ଧୀୟ କିଛି ୱାର୍କସପ୍ ଓ ଅନଲାଇନ୍ କ୍ଲାସେସ୍ ହୋଇପାରିଲେ ହୁଏତ ଅଧିକ ସଂଖ୍ୟାରେ ଯୁବପିଢି ଏଥିପ୍ରତି ଆକର୍ଷିତ ହୋଇପାରନ୍ତି ।

ମଳୟ ପାତ୍ର- କୋରାପୁଟର ବାସିନ୍ଦା ମଳୟ ଚଳିତ ଥର ଧୂମକେତୁ ସି-୨୦୨୦ ଏଫ୍-୩ ଫଟୋ ଉଠାଇବାରେ ଓଡିଶାର ପ୍ରଥମ ବ୍ୟକ୍ତି ହୋଇପାରିଥିଲେ । ସେ କୁହନ୍ତି ମୋତେ ଛୋଟ ବେଳୁ ହିଁ ଗ୍ରହ, ନକ୍ଷତ୍ର ଓ ତାରା ମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିବାକୁ ଭଲ ଲାଗିଥାଏ ।

Photo credit- Malaya Patra

ପରେ ମୁଁ ଫଟୋଗ୍ରାଫିକୁ କ୍ୟାରିୟର କରିବା ପାଇଁ ଚାହିଁଥିଲି । ଯେଉଁଥିପାଇଁ ପରିବାରର ପୂରା ସମର୍ଥନ ମିଳିଥିଲା । ଆଷ୍ଟ୍ରୋ ଫଟୋଗ୍ରାଫି ମୋର ନିଶା ହୋଇଥିଲେ ବି ଓଡିଶାରେ ଜଣେ ଖାଲି ଏହାକୁ ନେଇ ପ୍ରଫେସନ୍ କରିବା ଏତେଟା ସହଜ ନୁହେଁ । ଯଦି ଜଣେ ଚାହିଁବ ଆଷ୍ଟ୍ରୋ ଫଟୋଗ୍ରାଫିକୁ ଅନ୍ୟ କାହା ସହ ମିଶାଇ ବା କମ୍ପୋଜିଟ୍ କରାଇ ପାରିଲେ କିଛିଟା ଲାଭ ହୋଇପାରେ ।

ଖାସକରି ଆକାଶ ମେଘମୁକ୍ତ, ଅନ୍ଧାରୁଆ ଓ ପ୍ରଦୂଷଣ ମୁକ୍ତ ହୋଇପାରିଲେ ଯାଇ ଜଣେ ଆଷ୍ଟ୍ରୋଫଟୋଗ୍ରାଫ୍ ଉଠାଇ ପାରିବେ । ମୁଁ ଗତ ବର୍ଷ ଗୋଟେ ଆଷ୍ଟେ୍ରା ଫଟୋଗ୍ରାଫି ୱାର୍କସପ୍ କରିଥିଲି, ଯେଉଁଥିରେ ରାଜ୍ୟ ଭିତରୁ ଓ ବାହାରୁ ବହୁ ଆଷ୍ଟ୍ରୋ ଫଟୋଗ୍ରାଫର ସାମିଲ ହୋଇଥିଲେ । ଯେଉଁଥିରୁ ଏହାପ୍ରତି ଲୋକମାନଙ୍କର ଆଗ୍ରହ ଥିବା ଜଣାପଡେ ।

ମଳୟ ଆହୁରି ମଧ୍ୟ କୁହନ୍ତି ଯେ ଫଟୋ ଚୋରି କରିବା ଭଲ କଥା ନୁହେଁ । କାହିଁକି ନା ଗୋଟେ ଫଟୋ ଉଠାଇବା ପାଇଁ ସେହି ଫଟୋଗ୍ରାଫରକୁ ବହୁ ପରିଶ୍ରମ କରିବାକୁ ପଡିଥାଏ । ସେଥିପାଇଁ ସେ କିଛି ପାରିଶ୍ରମିକ ମଧ୍ୟ ଲଗାଇଥାଏ । ସମସ୍ତେ ଫଟୋଗ୍ରାଫ୍ କପି ରାଇଟକୁ ସମ୍ମାନ ଜଣାଇଲେ ଫଟୋଗ୍ରାଫର ଜଣକ ଉଭୟ ମନିଟାରୀ ଓ ଇନଟେକ୍ଚୁଆଲି ଲାଭ ପାଇପାରିବ।

Photo credit- Malaya Patra

ଶୁଭେନ୍ଦୁ ପଟ୍ଟନାୟକ- (ଉପନିର୍ଦେଶକ, ପଠାଣି ସାମନ୍ତ ପ୍ଲାନେଟୋରିୟମ୍)

ଖାସକରି ରାତିରେ ଆଷ୍ଟ୍ରୋ ଫଟୋ ଉଠା ଯାଇଥାଏ । ଓଡିଶାରେ ଖୁବ୍ କମ୍ ଲୋକଙ୍କର ଆଷ୍ଟ୍ରୋ ଫଟୋଗ୍ରାଫି ପ୍ରତି ଇଚ୍ଛା ରହିଛି । ହେଲେ ଓଡିଶାରେ ଆଷ୍ଟ୍ରୋ ଫଟୋଗ୍ରାଫିକୁ ନେଇ ପ୍ରଫେସନ କରିବା କଷ୍ଟକର ।

ଫଟୋ ଚୋରି କରିବା ନେଇ ସେ କହିଛନ୍ତି ଯେ ଫଟୋ ଚୋରୀ କରିବା ଆଇନ ଆଗରେ ମଧ୍ୟ ଏକ ଅପରାଧ ସଦୃଶ୍ୟ ।

ଫଟୋରେ ଥିବା କପି ରାଇଟକୁ ସମସ୍ତେ ସମ୍ମାନ ଦେବା ଉଚିତ୍ ଏବଂ ଫଟୋ ପାଇଁ ସମ୍ପୃକ୍ତ ଫଟୋଗ୍ରାଫରଙ୍କୁ କ୍ରେଡିଟ୍ ଦେବା ଉଚିତ୍ । କାହିଁକି ନା ଜଣେ ଫଟୋଗ୍ରାଫର ରାତି ଦିନ କଷ୍ଟକରି ପାରିଶ୍ରମିକ ଲଗାଇ କିଛିଟା ଫଟୋ ଉଠାଇଥାଏ ।

ଲୋକମାନେ ନିଜର ମାନସିକତାରେ ପରିବର୍ତ୍ତନ କରିପାରିଲେ ଯାଇ ଫଟୋଗ୍ରାଫରଙ୍କ କଷ୍ଟ ପାଇଁ ସମ୍ମାନ ସଦୃଶ୍ୟ ହୋଇପାରିବ ।

ଆଗାମୀ ଭବିଷ୍ୟତରେ ଓଡିଶାରେ କେହି ଏଜେନ୍ସି କିମ୍ବା ଅବା କେଉଁ ସଙ୍ଗଠନଙ୍କ ପକ୍ଷରୁ ଯଦି କିଛି ଆଷ୍ଟ୍ରୋ ଫଟୋଗ୍ରାଫି ପ୍ରତିଯୋଗିତା ହୋଇପାରନ୍ତା ଏବଂ କିଛି ସହାୟତା ରାଶି ପ୍ରଦାନ କରାଯାଇ ପାରନ୍ତା, ତାହେଲେ ହୁଏତ ଅଧିକରୁ ଅଧିକ ଫଟୋଗ୍ରାଫରଙ୍କୁ ଆଷ୍ଟେ୍ରା ଫଟୋଗ୍ରାଫି ପ୍ରତି ପ୍ରୋତ୍ସାହିତ କରାଯାଇପାରନ୍ତା ବୋଲି ଶ୍ରୀ ପଟ୍ଟନାୟକ ମତ ବ୍ୟକ୍ତ କରିଛନ୍ତି।

 

Leave A Reply

Your email address will not be published.