Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କୁ ରୋକିପାରିବେ କି ମମତା-ସୋନିଆ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ବିରୋଧୀ ଶିବିରି ଚଳଚଞ୍ଚଳ । କାରଣ ୨୦୧୭ ଭଳି ଏବେ ବିଜେପି ଏକାକୀ ଜିତିବା ସ୍ଥିତିରେ ନାହିଁ । ତେଣୁ ବିରୋଧୀ ଦଳକୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ବଡ଼ ଝଟକା ଦେବାକୁ ରଣନୀତି ତିଆରି କରୁଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟାନ୍ୟ ବିଜେପି ବିରୋଧୀ ଦଳ । ମମତାଙ୍କ ରଣନୀତିକୁ ନେଇ ଶିବସେନା, ଡିଏମକେ, କେସିଆର ଆଦି ସହମତ ଥିବା ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ କିନ୍ତୁ ଏ ବାବଦରେ ନିରବ ରହିଛି ।

ରାଷ୍ଟ୍ରପତି ନିର୍ବାଚନ ବେଳେ ମୁଖ୍ୟତଃ ଦୁଇ ଅଣ ବିଜେପି ଏବଂ ଅଣ କଂଗ୍ରେସ ଦଳ ଗୋଟିଏ ବଡ ଭୂମିକା ଲିଭାଇବେ । ଏହି ଦୁଇ ଦଳ ହେଲେ ଓଡ଼ିଶାର ଶାସକ ଦଳ ବିଜେଡି ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ। ଏହି ଦୁଇ ଦଳ ଯେଉଁ ପଟକୁ ଢଳିବେ ରାଷ୍ଟ୍ରପତି ପ୍ରାର୍ଥୀ ସେହି ଦଳର ବିଜୟୀ ହେବାର ସମ୍ଭାବନା ଅଧିକ । କିନ୍ତୁ ଏହାରି ଭିତରେ ଗୋଟିଏ ବଡ଼ ଖବର ଆସିଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ବିରୋଧୀଙ୍କ ସହିତ ବିଜେଡି ଏବଂ ଓ୍ୱାଇଏସଆର କଂଗ୍ରେସ ହାତ ମିଳାଇବାକୁ ଚାହୁଁ ନାହାନ୍ତି । ଯାହାକି ମମତା ବନାର୍ଜୀ ଏବଂ ଆପ୍ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟକା । କାରଣ ଶନିବାର ରାତିରେ ଏହି ଦୁଇ ନେତା ଅଧଘଣ୍ଟାଏ ଧରି ରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ସେହିପରି ଅଣ କଂଗ୍ରେସ ଏବଂ ଅଣ ବିଜେପି ଦଳକୁ ଏକାଠି କରିବାକୁ ସମସ୍ତ ପ୍ରୟାସ କରିବାକୁ ଏହି ଦୁଇ ନେତା ସେହି ଦଳର ନେତାଙ୍କ ମାନ ଭଞ୍ଜନ କରିବେ ବୋଲି ଚର୍ଚ୍ଚା ହେଉଛି।

ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ ବିଜେଡି କିମ୍ବା ଓ୍ୱାଇଏସଆର କଂଗ୍ରେସର ଜଣେ ନେତା କହିଛନ୍ତି, ଆମେ ସରକାର ସପକ୍ଷରେ ରହି ଶାସକ ସମର୍ଥିତ ଦଳ ହୋଇ ରହିବାକୁ ଚାହୁଁନାହୁଁ କି ବିରୋଧୀ ମେଣ୍ଟରେ ସାମିଲ ହୋଇ କେନ୍ଦ୍ରର ଶାସକ ଦଳ ସହ ସମ୍ପର୍କ ଖରାପ କରିବାକୁ ଚାହୁଁନାହୁଁ । ଆମେ ଆମ ରାଜ୍ୟର ସ୍ୱାର୍ଥକୁ ନେଇ ଆଗକୁ ବଢିବୁ ।

ଉଲ୍ଲେଖଯୋଗ୍ୟ ଏହି ଦୁଇ ଦଳର ଦିଲ୍ଲୀରେ ମୋଦୀ ସରକାର ସହିତ ଭଲ ସମ୍ପର୍କ ରହି ଆସିଛି । ଏପରି ସ୍ଥିତିରେ ମୋଦୀ-ଶାହ ଏହି ଦୁଇ ଦଳକୁ ଏକାଠି ରଖିବାକୁ ଯାଇ ଓଡ଼ିଆ ପୁଅ ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।। ନିକଟରେ ବିଶ୍ୱ ଭୂଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ବିଚାରପତି ଏନ ଭି ରମନ୍ନାଙ୍କୁ ଭେଟିଥିଲେ । ଏହା ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲେ ମଧ୍ୟ ନେତାଙ୍କ ଚାଲି ଅନେକ କିଛି କଥାକୁ ଇଙ୍ଗିତ କରିଥାଏ । ତେଣୁ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତାହେଲେ ବିରୋଧୀ ଶିବିରରେ ସାମିଲ ନହେବାକୁ ବିଜେଡି ଏବଂ ଓ୍ୱାଇଏସଆର କଂଗ୍ରେସ ଏହି କାରଣ ପାଇଁ ଚିନ୍ତା କରିଥିବା ସୂଚନା ରହିଛି।

ରାଷ୍ଟ୍ରପତି ନିର୍ବାଚନ: କିଏ ହେଉଛନ୍ତି ପ୍ରାର୍ଥୀ ଗୁରୁତ୍ୱ, ବିଜୟର ଚାବି ବିଜେଡି ହାତରେ !

Leave A Reply

Your email address will not be published.