ଭୁବନେଶ୍ୱର: ଶକ୍ତ ହେଉଛି ବିରୋଧୀ ମେଳି। ପୂର୍ବରୁ ବିରୋଧୀ ଏକ ହୋଇପାରୁ ନ ଥିବା ବେଳେ ଏବେ ଗୋଟିଏ ମଞ୍ଚରେ ସମସ୍ତେ ଏକାଠି ହେବାରେ ଲାଗିଛନ୍ତି। ଏପରିକି ପୂର୍ବରୁ କଂଗ୍ରେସ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରି ନ ଥିବା ବେଳେ ଧୀରେ ଧୀରେ କଂଗ୍ରେସ ସହ ମିଶି ବିଜେପି ବିରୋଧରେ ଲଢ଼ିବାକୁ ସହମତି ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।
ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀରେ କଂଗ୍ରେସ, ଜେଡିୟୁ ଓ ଆରଜେଡି ନେତା ଏକାଠି ହେବା ପରେ ବିରୋଧୀ ଶକ୍ତି ଏକ ହେବାର ମୂଳଦୁଆ ପଡୁଥିବା କୁହାଯାଉଛି। ବିରୋଧୀ ଦଳଗୁଡିକ ଏକାଠି ବୈଠକ କରିବା ପ୍ରସଙ୍ଗକୁ କଂଗ୍ରେସ ଐତିହାସିକ ବୋଲି କହିଛି।
ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଏକାଠି ହୋଇଥିଲେ। ପୂର୍ବରୁ ନୀତିଶ କୁମାର ବିରୋଧୀଙ୍କୁ ଏକ ହେବାର ଆହ୍ୱାନ ଦେଉଥିବା ବେଳେ ଏବେ ଏହି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି।
ଯେତେ ମନୋମାଳିନ୍ୟ କିମ୍ବା ବିଚାରଗତ ପାର୍ଥକ୍ୟ ଥିଲେ ମଧ୍ୟ ବିଜେପିକୁ ସତ୍ତାରୁ ବାହାର କରିବା ପାଇଁ ସମସ୍ତେ ଏକ ହେବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଥିବା କୁହାଯାଉଛି। ସମ୍ବିଧାନର ସୁରକ୍ଷା, ଗଣତନ୍ତ୍ରର ସୁରକ୍ଷା ପାଇଁ ସବୁ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ପଡ଼ିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ମେଣ୍ଟ ସମ୍ପର୍କରେ ଡିଏମକେ ସଭାପତି ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡିଛି।
ଏପରିକି ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ବହୁ ବିରୋଧୀ ଦଳ ଏକଲା ଚଲୋ ନୀତି ଆପଣାଇଥିବା ବେଳେ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ଚିତ୍ର ବଦଳିଛି। ତୃଣମୂଳ କଂଗ୍ରେସ ପୂର୍ବରୁ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ ବୋଲି କହିଥିବାବେଳେ ରାହୁଲ ପ୍ରସଙ୍ଗ ପରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।
ସେହିପରି କେସିଆରଙ୍କ ବିଆରଏସ ଓ ଅରବିନ୍ଦ କେଜ୍ରିୱାଲଙ୍କ ଆପ ମଧ୍ୟ ରାହୁଲଙ୍କ ପ୍ରସଙ୍ଗକୁ ନେଇ ବିରୋଧି ମଞ୍ଚରେ ଏକ ହୋଇଛନ୍ତି। ତେଣୁ ବିରୋଧୀଙ୍କ ଏହି ମିଳନ କେତେ ଆଗକୁ ଯାଉଛି। ଯଦି ନିର୍ବାଚନ ରେ ସମସ୍ତେ ଏକାଠି ହୋଇ ଲଢନ୍ତି ତେବେ ଆସନ ବୁଝାମଣା କେଉଁ ଆଧାରରେ ହେବ। କାହାକୁ ନେତା ବୋଲି ସମସ୍ତେ ମାନିବେ ତାକୁ ନେଇ ଏବେ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
Comments are closed.