ଭୁବନେଶ୍ୱର: ରାଜ୍ୟରେ ଓବିସି ସର୍ଭେ ରିପୋର୍ଟ ପ୍ରକାଶରେ ବିଳମ୍ବକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ବିଜୁ ଜନତା ଦଳକୁ ଘେରିଛନ୍ତି। ଗାନ୍ଧୀ ଜୟନ୍ତୀରେ ବିହାର ସରକାର ଓବିସି ସର୍ଭେ ରିପୋର୍ଟ ଜାରି କରି ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ଏହାପରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ।
ଓବିସି ଜନସଂଖ୍ୟା ଏବଂ ସେମାନଙ୍କ ଆର୍ଥିକ, ସାମାଜିକ, ଏବଂ ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ ସର୍ଭେ ମେ 1 ରେ ଆରମ୍ଭ ହୋଇଥିଲା ଏବଂ ଜୁନ୍ 24 ରେ ରାଜ୍ୟରେ ଶେଷ ହୋଇଥିଲା। ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଓଡ଼ିଶା ସରକାର ଏଯାଏଁ ଏହାକୁ ସାର୍ବଜନୀନ କରିନାହାନ୍ତି।
ଓବିସି ସର୍ଭେ ସମ୍ପୂର୍ଣ୍ଣ ଭାବେ ହୋଇପାରିନାହିଁ ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପ୍ରତି ସରକାରଙ୍କର ପ୍ରତିବଦ୍ଧତାର ଅଭାବ ରହିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଏପରିକି ସର୍ଭେ ସମୟରେ ଓବିସି କମିଶନଙ୍କୁ ସରକାର ଆବଶ୍ୟକ ସହାୟତା ଦେଉ ନଥିବା ଅଭିଯୋଗ କରିଛନ୍ତି।
ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଓବିସିର ସ୍ୱାର୍ଥ ପାଇଁ ସରକାର ବଦ୍ଧପରିକର ବୋଲି କହିଛି। ଏପରିକି ଖୁବଶୀଘ୍ର ଏହି ରିପୋର୍ଟ ପ୍ରକାଶ ପାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ଥିବା ଓବିସି ଜଣଙ୍କୁ ଚିହ୍ନଟ କରିବା ସହ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ଆବଶ୍ୟକ ପ୍ରତିନିଧିତ୍ୱ ଦେବା ପାଇଁ ଓବିସି ସର୍ଭେ ଏକ ଗୁରୁତ୍ୱପୂର୍ଣ୍ଣ କାମ। ରିପୋର୍ଟ ପ୍ରକାଶ ପାଇବାରେ ବିଳମ୍ବ ଓବିସି ସମାଜ ପାଇଁ ଚିନ୍ତାର କାରଣ ହୋଇଛି।
ଆଗାମୀ ନିର୍ବାଚନରେ ଓବିସି ସର୍ଭେ ଏକ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି ବୋଲି ଏବେ ଚର୍ଚ୍ଚା ହେଉଛି। ଓବିସି ରିପୋର୍ଟ ପ୍ରକାଶ ନପାଇବାର ଅର୍ଥ ସରକାର ଏହାକୁ ସେତେଟା ଗୁରୁତ୍ୱ ଦେଉନଥିବା ସୂଚନା ରହିଛି।
Comments are closed.