ଭୁବନେଶ୍ବର: ରାଜ୍ୟରେ ୪୧ ଥାନାରେ ପୁନଃ ସ୍ଥାପନ ହେବ ସିସିଟିଭି କ୍ୟାମେରା । ଏନେଇ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକାଂଶ ଥାନାରେ ସିସି କ୍ୟାମେରା ଲାଗିଛି, ହେଲେ ଏହାର ମରାମତି କିମ୍ବା ନିୟନ୍ତ୍ରଣ କକ୍ଷ ନାହିଁ । ଯେଉଁ କାରଣରୁ ରାଜଧାନୀର ଥାନାରେ ଲାଗିଥିବା କ୍ୟାମେରା ସ୍ମାର୍ଟସିଟି ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି ।
ସାରା ରାଜ୍ୟର ଅତି କମରେ ୪୧ଟି ପୋଲିସ/ଜିଆରପି ଷ୍ଟେସନରେ ସିସିଟିଭି କ୍ୟାମେରା ତୁରନ୍ତ ପୁନଃସ୍ଥାପନ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି)କୁ ଚିଠି ଜରିଆରେ ଅନୁରୋଧ କରାଯାଇଛି । ଏଡିଜି ଆଇନଶୃଙ୍ଖଳା ଓସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି ।
୪୧ଟି ପୋଲିସ/ଜିଆରପି ଷ୍ଟେସନକୁ ମୋଟ ୮୨୧ଟି ସିସିଟିଭି କ୍ୟାମେରା ମଞ୍ଜୁର କରାଯାଇଛି । କିନ୍ତୁ ସେଥିମଧ୍ୟରୁ ୩୯୨ଟି ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ । କଟକ ୟୁପିଡି ପୋଲିସ ଷ୍ଟେସନରେ ଅଧିକାଂଶ ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିରହିଛି । ଏଥିରୁ ରାଜଧାନୀ ମଧ୍ୟ ବାଦ ପଡ଼ିନାହିଁ ।
ପୋଲିସ ସଙ୍ଗଠନ ସମ୍ପର୍କରେ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ ୧ ସୁଦ୍ଧା ରାଜ୍ୟରେ ୬୮୪ଟି ପୋଲିସ ଷ୍ଟେସନ ଥିଲା । ପ୍ରାୟ ୧୨,୮୨୦ଟି ସିସିଟିଭି କ୍ୟାମେରା ଲଗାଯିବାକୁ ଥିଲା । ୫୯୩ଟି ପୋଲିସ ଷ୍ଟେସନରେ ୧୧,୮୬୦ଟି ସିସିଟିଭି କ୍ୟାମେରା ଲଗାଯାଇଥିଲା । ରିପୋର୍ଟରେ ଦର୍ଶାଯାଇଛି, ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ପ୍ରାୟ ୯୬୦ଟି ସିସିଟିଭି କ୍ୟାମେରା ଲଗାଯିବା ବାକି ଅଛି ।