Latest Odisha News

BREAKING NEWS

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଡାକ୍ତର ହେବା ପୂର୍ବରୁ ପ୍ରଥମେ ଜଣେ ଭଲ ମଣିଷ ହେବା ଉଚିତ୍ । ଭଲ ମଣିଷ ହେଲେ ହିଁ ରୋଗୀଙ୍କର ଚିକିତ୍ସା ସୁଚାରୁରୂପେ କରିହେବ । ଜୀବନରେ ନିଜ ମା’, ଦେବୀ ସରସ୍ୱତୀ ଏବଂ ଗୁରୁଙ୍କୁ ସମ୍ମାନ ଦେଲେ ହିଁ ଉନ୍ନତି ହେବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ୨୦୧୯-୨୦ ବ୍ୟାଚ୍ର ପ୍ରଥମ ବାର୍ଷିକ ମେଡିକାଲ୍ ଛାତ୍ରଛାତ୍ରୀଙ୍କର ସ୍ୱାଗତ ଏବଂ ନୂତନ ପରିବେଶରେ ନିଜକୁ ଅଭ୍ୟସ୍ତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭଲ ଡାକ୍ତର ହେବା ପାଇଁ ନିଜ ବ୍ୟବହାର, ଚରିତ୍ର, ସ୍ୱଭାବ, ଶୃଙ୍ଖଳା ଏବଂ ସହାନୁଭୂତି ସଂପନ୍ନ ମନୋଭାବ ଧାରଣ କରିବା ନେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ କରାଇଛନ୍ତି ପ୍ରଫେସର ସାହୁ ।

ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେନ୍ଟ ଡ. ପୁଷ୍ପରାଜ ସାମନ୍ତସିଂହାର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଡାକ୍ତରୀ ପେସା ପାଇଁ ଏକାଗ୍ରତା ଏବଂ ନିଷ୍ଠାର ଆବଶ୍ୟକତା ରହିଛି । ସମୟର ଅଭାବ ଏବଂ ନିଜ ବ୍ୟକ୍ତିଗତ ଜୀବନରେ ଯେତେ ସମସ୍ୟା ଥିଲେ ମଧ୍ୟ ରୋଗୀ ସେବା ହିଁ ମୁଖ୍ୟ କାର୍ଯ୍ୟ ହେବା ଉଚିତ୍ ବୋଲି ସେ କହିଛନ୍ତି । ଏଥିପାଇଁ ଡାକ୍ତରୀ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେବାକୁ ସେ ଉପଦେଶ ଦେଇଛନ୍ତି ।

ଏନ୍ଆଇଆରଏଫ୍ ର‌୍ୟାଙ୍କିରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶରେ ୨୧ ତମ ସ୍ଥାନ ହାସଲ କରିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍ଏସ୍ର କୋର୍ଡିନେଟର୍ ଡାକ୍ତର ପି.କେ. ସାହୁ, ଆଡିସ୍ନାଲ୍ ଡିନ୍ ପ୍ରଫେସର ଅଜୟ ଜେନା, ଆନାଟୋମୀ ବିଭାଗର ପ୍ରଫେସର ଶିତାଂଶୁ କୁମାର ପଣ୍ଡା, ବାୟୋ କେମିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର ଶୁଭଶ୍ରୀ ଦାସ, କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଫିଜିଓଲୋଜି ବିଭାଗର ପ୍ରଫେସର ଏଲୋରା ଦେବୀ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସମସ୍ତ ବିଭାଗର ବରିଷ୍ଠ ପ୍ରଫେସର ଓ ମୁଖ୍ୟ ମାନେ ଉପସ୍ଥିତ ଥିଲେ ।

ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ନୂଆ ଗାଇଡଲାଇନ୍ ଅନୁଯାୟୀ ନୂଆ ଛାତ୍ରଛାତ୍ରୀମାନଙ୍କୁ କମ୍ପାରେଟିଭ୍ ବେସ୍ଡ ମେଡିକାଲ୍ ଏଡୁକେସନ୍ ଉପରେ ଦୀର୍ଘ ଏକମାସ ଧରି ଫାଉଣ୍ଡେସନ୍ କୋର୍ସ ପ୍ରଦାନ କରାଯିବାର ନିୟମ ରହିଛି । ଏହି ଭିତିରେ ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆଇଏମଏସ୍ର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କର ଓରିଏନ୍ଟେସନ୍ କାର୍ଯ୍ୟକ୍ରମ ଜାରି ରହିବ । ସ୍ୱାଗତ କାର୍ଯ୍ୟକ୍ରମ ରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସମେତ ସେମାନଙ୍କ ଅଭିଭାବକମାନେ ମଧ୍ୟ ସାମିଲ୍ ଥିଲେ ।

Leave A Reply

Your email address will not be published.