Latest Odisha News

BREAKING NEWS

ଆଇନଜୀବୀ ଆନ୍ଦୋଳନରୁ ଓହରିଲେ, ଆସନ୍ତାକାଲିଠୁ କାର୍ଯ୍ୟରେ ଯୋଗଦେବେ

କଟକ: ଓକିଲଙ୍କ ଉପରେ ପୋଲିସ ଆକ୍ରମଣ ଯୋଗୁଁ ଦୀର୍ଘ ଅଢେଇ ମାସ ଧରି ଆନ୍ଦୋଳନ ଜାରି ରଖିଥିବା ‘ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ’ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି ଏବଂ ଗୁରୁବାରଠାରୁ କାର୍ଯ୍ୟରେ ସମସ୍ତ ଆଇନଜୀବୀ ଯୋଗଦେବେ ।

ଆସୋସିଏସନର ସାଧାରଣ ବୈଠକ ସମାପ୍ତ ହେବା ପରେ ଗଣମାଧ୍ୟମକୁ ସୂଚନାଦେଇ ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି, ଅଗଷ୍ଟ ୨୮ ତାରିଖରେ ଯେଉଁ ତିନିଜଣ ପୋଲିସ କର୍ମଚାରୀ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିଲେ ସେମାନେ ହାଇକୋର୍ଟରେ ଉପସ୍ଥିତ ରହି ଜଷ୍ଟିସ ସି ଆର ଦାସଙ୍କ ଖଣ୍ଡପୀଠରେ ଏହି ଆକ୍ରମଣ ନିମନ୍ତେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ।

“ଏହାଛଡ଼ା, ଏହି ବେଞ୍ଚ ମଧ୍ୟ ଏକ ୭ ଜଣିଆ ଉଚ୍ଚ-ସ୍ତରୀୟ କମିଟି ଗଠନ କରିଛନ୍ତି, ଯେଉଁ କମିଟିରେ ଗୃହ ସଚିବ, ପୋଲିସ ଡ଼ିଜିପି, ଓଡ଼ିଶା ବାର ଆସୋସିଏସନର ସଭାପତି ଓ ସାଧାରଣ ସମ୍ପାଦକ ଏବଂ ୩ଜଣ ବରିଷ୍ଠ ଆଇନଜୀବୀ ରହିବେ । ଭବିଷ୍ୟତରେ କେବେ ଯଦି ଓକିଲ ଓ ପୋଲିସଙ୍କ ମଧ୍ୟରେ କୌଣସି ବିବାଦ ଦେଖାଯାଏ ତେବେ ଏହି କମିଟି ହିଁ ଏହାର ସମାଧାନ କରିବ ଏବଂ ଏହାର ନିଷ୍ପତ୍ତିକୁ ଆଇନଜୀବୀ ମଧ୍ୟ ଗ୍ରହଣ କରିଥିଲେ । ଆମ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠୁ ସମସ୍ତ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବେ”ବୋଲି ସେ କହିଛନ୍ତି ।

ରାଜ୍ୟର ସମସ୍ତ ୧୩୦ଟି ବାର୍ ଆସୋସିଏସନକୁ ଧନ୍ୟବାଦ ଦେଇ ରାଜ୍ୟବ୍ୟାପୀ ଚାଲୁଥିବା ଏହି ଆନ୍ଦୋଳନରୁ ନିବୃତ୍ତ ରହି ଆସନ୍ତାକାଲିଠୁ ସମସ୍ତ ଓକିଲମାନେ କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଛନ୍ତି ଓଡ଼ିଶା ବାର୍ ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ ।

Leave A Reply

Your email address will not be published.