Latest Odisha News

ନିୟମିତ ହେବେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର, ୩ ମାସ ମଧ୍ୟରେ ଲାଗୁ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। କାରଣ; ୩ ମାସ ମଧ୍ୟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୩ ମାସ ମଧ୍ୟରେ ଏହାକୁ ଲାଗୁ କରିବା ସହ ବିଜ୍ଞପ୍ତିଠାରୁ ସମସ୍ତ ସୁବିଧା ସୁଯୋଗ ସହ ସ୍ଥାୟୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟଳୟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ଫଳରେ ରାଜ୍ୟ ସରକାର, ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ କରିଥିବା ଆବେଦନ ଖାରଜ  ହୋଇଯାଇଛି । ହାଇକୋର୍ଟଙ୍କ ଏହି ରାୟ ପରେ ପାଖାପାଖି ୬୦୦ରୁ ଊର୍ଦ୍ଧ୍ଵ ଠିକା ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ୨୦୦୬ ମସିହାଠାରୁ ବିଭିନ୍ନ ବିଭାଗରେ ଆଉଟ ସୋର୍ସିଂ ଜରିଆରେ ନିୟୋଜିତ ଠିକା କର୍ମଚାରୀ କୌଣସି ସରକାରୀ ସୁବିଧା ସୁଯୋଗ ପାଉନଥିଲେ । ଯାହାକୁ ନେଇ ଏକାଧିକ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ସେମାନଙ୍କୁ ନିୟମିତ କରିବା ପାଇଁ ମାମଲା ଦାୟର କରିଥିଲେ । ୨୦୨୧ରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଆବେଦନଗୁଡିକର ଶୁଣାଣି କରି ରାଜ୍ୟ ସରକାରଙ୍କ ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉଟ ସୋର୍ସିଂ ଦ୍ୱାରା ନିୟୋଜିତ ଠିକା କର୍ମଚାରୀଙ୍କୁ ତିନି ମାସ ମଧ୍ୟରେ ନିୟମିତ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ । ତେବେ ଏହାକୁ ଚାଲେଞ୍ଜ କରି ରାଜ୍ୟ ସରକାର, ଦୁଇ ଜଣିଆ ଖଣ୍ଡପୀଠରେ ଆବେଦନ କରିଥିଲେ । ଯାହାକୁ ବୁଧବାର ଉଚ୍ଚ ନ୍ୟାୟଳୟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

Leave A Reply

Your email address will not be published.