Latest Odisha News

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ମାମଲା, ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

କଟକ : ବାଲେଶ୍ୱର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ସୋମବାର ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ, ଆବେଦନକାରୀ ଯଦୁନାଥ ସେଠୀଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିଲେ। ଆବେଦନକାରୀ ଅନୁପସ୍ଥିତ ଥିବାରୁ ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ହାଇକୋର୍ଟ  ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି। ପୂର୍ବରୁ ଏପ୍ରିଲ ୧୩ ଓ ୧୪ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବର ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଯଦୁନାଥ ସେଠୀ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ବାଲେଶ୍ବର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଯଦୁନାଥ ସେଠୀ ୨୦୧୯ରେ ଏହି ନିର୍ବାଚନ ମାମଲା ଦାୟର କରିଥିଲେ। ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ନାମାଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ସମ୍ପୂର୍ଣ୍ଣ ନୁହେଁ। ସେ ବହୁ ତଥ୍ୟ ଲୁଚାଇଛନ୍ତି। ସମ୍ପତ୍ତି, ବିଚାରାଧୀନ ମାମଲା ଓ ଅନ୍ୟ କେତେକ ପ୍ରସଙ୍ଗରେ ସେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ନାହାନ୍ତି। ତେଣୁ ସାଂସଦ ଭାବେ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା।

ସୂଚନାଯୋଗ୍ୟ, ବାଲେଶ୍ବର ଲୋକସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୪, ୮୩, ୮୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ୪,୭୦, ୯୦୨ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ବିଚାରାଧୀନ ଥିବା ବେଳେ ଭାରତର ନିର୍ବାଚନ କମିସନ(ଇସିଆଇ)ଙ୍କ ପକ୍ଷରୁ ଷ୍ଟ୍ରଙ୍ଗ୍ ରୁମ୍ ଖୋଲି ୨୦୧୯, ଏପ୍ରିଲ ୨୯ରେ ଅନୁଷ୍ଠିତ ବାଲେଶ୍ବର ଲୋକସଭା ନିର୍ବାଚନରେ ବ୍ୟବହୃତ ଇଭିଏମ ଓ ଭିଭିପାଟ୍‌ ଗୁଡିକୁ ଆବଶ୍ୟକତା ଅନୁସାରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆବେଦନ କରାଯାଇଥିଲା। ୨୦୨୩, ଏପ୍ରିଲ ୧୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଇସିଆଇଙ୍କ ଆବେଦନକୁ ଗ୍ରହଣ କରିବା ସହିତ ଏଥି ପାଇଁ ଅନୁମତି ଦେଇଥିଲେ। ଏହାପରେ ଏପ୍ରିଲ ୧୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଯାହାର ଶୁଣାଣୀ କରି ହାଇକୋର୍ଟ ସୋମବାର ମୋକଦ୍ଦମାକୁ ଖାରଜ କରି ଦେଇଛନ୍ତି।

Leave A Reply

Your email address will not be published.