Latest Odisha News

BREAKING NEWS

କାହିଁକି ବିଧି ଭାଙ୍ଗୁଛନ୍ତି ସରକାର?

ଭୁବନେଶ୍ୱର: ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଲୋକପ୍ରତିନିଧି ଭାବେ ଜଣେ ନିର୍ବାଚିତ ହେବା ପରେ ତାଙ୍କୁ କେବଳ ଦଳ ଭିତରେ ସୀମିତ ରଖାଯାଇ ପାରିବ ନାହିଁ। ଯିଏ ଯେଉଁଠି ସରକାରରେ ଥିଲେ ମଧ୍ୟ ବିପକ୍ଷ ଦଳ ହେଉ କିମ୍ବା ଯେକୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିୟମ ଅନୁଯାୟୀ ସାମିଲ କରିବାର ବ୍ୟବସ୍ଥା ରହିଆସିଛି।

ଏହା ସାଧାରଣ ପ୍ରୋଟୋକଲ ବା ବିଧି ବ୍ୟବସ୍ଥା ବୋଲି କୁହାଯାଏ। କିନ୍ତୁ ବିଭିନ୍ନ ସ୍ଥାନରେ ଏହାର ବ୍ୟାପକ ଉଲ୍ଲଂଘନ ଦେଖାଯାଉଛି। କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମକୁ ଡକାଯାଇ ନ ଥିଲା। ଯାହାକୁ ନେଇ ତୁମ୍ବି ତୋଫାନ ହୋଇଥିଲା।

ଅପରାଜିତା ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କୁ ଏଥିପାଇଁ ତୀବ୍ର ସମାଲୋଚନା କରିଥିଲେ। ପୂର୍ବବର୍ଷ ଏଭଳି କରାଯାଇଥିବା ବେଳେ ଏବର୍ଷ ମଧ୍ୟ ଏଭଳି କରିବା ଉଦେଶ୍ୟମୂଳକ ବୋଲି କହିବା ସହ ଏହା ବିରୋଧରେ ବର୍ଷିଥିଲେ।

ଏପରିକି ସାଂସଦ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବିଜେଡିର ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ସମ୍ମାନ ଦେଉ ନ ଥିବା ଅଭିଯୋଗ ହୋଇଥିଲା। ଯାହାର ଫଳସ୍ୱରୂପ ସାଂସଦଙ୍କୁ କାର୍ଯ୍ୟକ୍ରମକୁ ଡକାଗଲା ନାହିଁ ବୋଲି ଆଲୋଚନା ହେଲା।

ଏବେ ପୁଣି ଏକ ସେଭଳି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଏକ ସରକାରୀ ସମୀକ୍ଷା ବୈଠକ କରିଥିବା ବେଳେ ସ୍ଥାନୀୟ ବିଧାୟକଙ୍କୁ ନ ଡାକିବାକୁ ନେଇ ଚର୍ଚ୍ଚା ହେଉଛି।

ଏପରିକି ଖୋଦ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ ନିର୍ବାଚିତ ବିଧାୟକଙ୍କୁ ଡକାଯାଇ ନ ଥିବା ବେଳେ ଅନ୍ୟ ସ୍ଥାନୀୟ ବିଜେପି ନେତାଙ୍କୁ ସାମିଲ କରାଯାଇଥିଲା। ଯାହାକୁ ନେଇ ଆଲୋଚନା ଜୋର ଧରିଛି।

ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ବେଳେ ଏଭଳି ଦେଖିବାକୁ ମିଲିଥିଲା। ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଯିଏ ଯେଉଁଠି ସରକାରରେ ଥିଲେ ମଧ୍ୟ ସମସ୍ତେ ସାମ୍ବିଧାନିକ ବିଧିକୁ ସମ୍ମାନ ଦେଇ ଚାଲିବା କଥା ବୋଲି କୁହାଯାଏ। କିନ୍ତୁ ଏ ସବୁରେ ଏବେ ବ୍ୟାପକ ବ୍ୟତିକ୍ରମ ହେଉଛି।

ଏପରିକି ଯେସାକୁ ତେସା ନ୍ୟାୟରେ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ବହୁ ନିର୍ବାଚିତ ପ୍ରତିନିଧିଙ୍କୁ କାର୍ଯ୍ୟକ୍ରମକୁ ଡାକୁ ନାହାଁନ୍ତି। ତେଣୁ ଆଗକୁ ନିର୍ବାଚନ ଥିବାରୁ ଏ ପ୍ରସଙ୍ଗ ଏବେ ରାଜନୈତିକ ସ୍ତରରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.