ନୂଆଦିଲ୍ଲୀ: ଓସ୍କାର ୨୦୨୭ ପୂର୍ବରୁ ଏକାଡେମୀ ଅଫ ମୋଶନ ପିକ୍ଚର୍ସ ଆର୍ଟସ ଆଣ୍ଡ ସାଇନ୍ସେଜ ଏହାର ପୁରସ୍କାର ନେଇ ଏକ ବଡ ପରିବର୍ତନ କରିଛି । ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଏହି ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ କୌଣସି ଦେଶ ପକ୍ଷରୁ ଫିଲ୍ମର ଅଫିସିଆଲ ଏଂଟ୍ରି ଏହାର ଏକମାତ୍ର ରାସ୍ତା ନୁହେଁ । ଯଦି କୌଣସି ଫିଲ୍ମ କାନ୍ସ, ଭେନିସ, ଟରୋଂଟୋ, ସନଡାନ୍ସ କିମ୍ବା ବୁସାନ ପରି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଜିତିଥାଏ ଏହା ସିଧାସଳଖ ଫରେନ ଫିଲ୍ମ କାଟାଗୋରୀରେ ସ୍ଥାନ ପାଇବ ।
ଏହି ଫିଲ୍ମକୁ ନିଜ ଦେଶ ପକ୍ଷରୁ ଏଂଟ୍ରିର ଆବଶ୍ୟକତା ରହିବ ନାହିଁ । ଉଦାହରଣସ୍ୱରୂପ ଭାରତୀୟ ଫିଲ୍ମମେକର ପାୟଲ କାପୋଡିଆ ଅଲ ୱି ଇମାଜିନ ଇଜ ଲାଇଟ ଭାରତ ପକ୍ଷରୁ ଏଂଟ୍ରି ନ ହୋଇଥିଲେ ମଧ୍ୟ ଓସ୍କାର ପୁରସ୍କାର ରେସରେ ସାମିଲ ହୋଇ ପାରିଥାନ୍ତା । ଓସ୍କାର ପାଇଁ ଏଫଏଫଆଇ ଭାରତୀୟ ଫିଲ୍ମ ଚୟନ କରିଥାଏ । ଏହାର ଚୟନ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠିଛି । ୨୦୧୩ରେ ଇରଫାନ ଖାଁଙ୍କ ଦି ଲଂଚ ବକ୍ସ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ ହୋଇଥିଲେ ମଧ୍ୟ ଭାରତ ପକ୍ଷରୁ ଅଫିସିଆଲ ଏଂଟ୍ରି ହୋଇ ନ ଥିଲା । ଏହା ସ୍ଥାନରେ ଦି ଗୁଡ ରୋଡକୁ ପଠା ଯାଇଥିଲା ।