Latest Odisha News

BREAKING NEWS

ପ୍ରାଚୀ ନଦୀ ଅବବାହିକାର ଭିନ୍ନ ଏକ ପ୍ରାଚୀନ ତନ୍ତ୍ରପୀଠ ‘ବାରାହୀ ଦେଉଳ’

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ

ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅଷ୍ଟମ ଶତାବ୍ଦୀ ରୁ ଆରମ୍ଭ କରି ପଂଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ ମନ୍ଦିର ହେଉଛି ନିମାପଡା ନିକଟସ୍ଥ ଚୌରାଅଶୀ ଗାଁରେ ଅବସ୍ଥିତ ଶକ୍ତି ତଥା ତନ୍ତ୍ରପୀଠ ବାରାହୀ ଦେଉଳ ।

ଓଡ଼ିଶାର ଅଧିକାଂଶ ପୁରାତନ ମନ୍ଦିର ପାରମ୍ପରିକ ରେଖା ଓ ପିଢା ଦେଉଳ ଶୈଳୀରେ ନିର୍ମିତ ହୋଇଥିବା ବେଳେ ବାରାହୀ ଦେଉଳ ନିଆରା ଖାକରା ଶୈଳୀରେ ନିର୍ମିତ ହୋଇଛି ।  ଆୟତାକାର ଢାଞ୍ଚାରେ ନିର୍ମିତ ଖାଖରା ମନ୍ଦିର ଶୈଳୀ କେବଳ ଶକ୍ତିପୀଠ ନିର୍ମାଣରେ ହିଁ ବ୍ୟବହାର ହୋଇଥିବା ଦେଖାଯାଇଛି ।

ଫଟୋ ସୌଜନ୍ୟ- କୃଷ୍ଣଚନ୍ଦ୍ର ମହାପାତ୍ର

ବିଶିଷ୍ଟ ପ୍ରତ୍ନତତ୍ଵବିଦ ବିଜୟ କୁମାର ରଥଙ୍କ କହିବା ଅନୁଯାୟୀ ବାରାହୀ ଦେଉଳରେ ରହିଥିବା କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହା ପ୍ରାୟତଃ ନବମ ଶତାବ୍ଦୀରେ ସୋମବଂଶ ରାଜାଙ୍କ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଉଛି ।  ଚୌରାଅଶୀ ସ୍ଥିତ ବାରାହୀ ଦେଉଳର ଅଧିକ ସାମଞ୍ଜସ୍ୟ ଭୁବନେଶ୍ୱରର କେଦାରଗୌରୀ ମନ୍ଦିର ପରିସରରେ ଥିବା ଗୌରୀ ମନ୍ଦିର ସହିତ ରହିଥିବା ବେଳେ ସମାନ ଖାକରା ମନ୍ଦିର ଶୈଳୀରେ ନିର୍ମିତ ଓଡ଼ିଶାର ଅନ୍ୟ ପ୍ରମୁଖ ମନ୍ଦିର ଗୁଡିକ ମଧ୍ୟରେ ପୁରୁଣା ଭୁବନେଶ୍ୱରର ବୈତାଳ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ସାବିତ୍ରୀ ମନ୍ଦିର ରହିଥିବା ସେ କହିଛନ୍ତି ।

ବର୍ତମାନ ରହିଥିବା ସମସ୍ତ ଖାକରା ଶୈଳୀ ମନ୍ଦିର ମଧ୍ୟରୁ ଅତୀବ ସୁନ୍ଦର କାରୁକାର୍ଯ୍ୟ, ନିର୍ମାଣ ଶୈଳୀ ଓ ଉତ୍ତମ ସଂରକ୍ଷଣ ଦୃଷ୍ଟିରୁ ସ୍ୱତନ୍ତ୍ର ହୋଇଥିବାରୁ ବାରାହୀ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ ଐତିହ୍ୟସ୍ଥଳ (ମନୁମେଣ୍ଟ ଅଫ ନ୍ୟାସନାଲ ଇମ୍ପୋର୍ଟାଂନସ୍‌) ଘୋଷଣା କରାଯାଇ ସଂରକ୍ଷଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।  ତେବେ କେତେକ ସ୍ଥାନରେ ଏହି ମନ୍ଦିରର ନିର୍ମାଣ ଦଶମ ଶତାବ୍ଦୀରେ ହୋଇଥିବା ମଧ୍ୟ କୁହାଯାଉଛି ।

ଫଟୋ ସୌଜନ୍ୟ- ପ୍ରିୟଙ୍କା ମହାରଣା

ଏହି ବାରାହୀ ଦେଉଳରେ ସବୁଠାରୁ ସ୍ୱତନ୍ତ୍ର ହେଉଛି ଅଧିଷ୍ଠାତ୍ରୀ ଦେବୀ ବାରାହୀଙ୍କ ପ୍ରାୟ ୬ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି । ପୁରାଣ ବର୍ଣ୍ଣିତ ସପ୍ତମାତୃକାଙ୍କ ମଧ୍ୟରୁ ଅନ୍ୟତମ ବାରାହୀ ଏଠାକାର ମୁଖ୍ୟ ମନ୍ଦିରରେ ଏକ ଉଚ୍ଚ ଆସନ ଉପରେ ଲଳିତାସନରେ ଉପବିଷ୍ଟ ହୋଇଥିବା ବେଳେ ମୁଖମଣ୍ଡଳଟି ବରାହ ସଦୃଶ ଏବଂ ଶରୀର ନାରୀର ରହିଛି ।

ଫଟୋ ସୌଜନ୍ୟ- ପ୍ରିୟଙ୍କା ମହାରଣା

ବିଷ୍ଣୁଙ୍କ ବରାହ ଅବତାରର ଶକ୍ତି ରୂପ କୁହାଯାଉଥିବା ବାରାହୀ ଏଠାରେ ମତ୍ସ୍ୟବାରାହୀ ଭାବରେ ଅଭିହିତ ଏବଂ ଏକ ବୃହତ ଆକାରର ପେଟ ରହିଥିବା ଏହି ବାରାହୀ ବିଗ୍ରହଙ୍କ ଦକ୍ଷିଣ ହସ୍ତରେ ମାଛ ଏବଂ ବାମ ହସ୍ତରେ ଏକ ରକ୍ତ ପାତ୍ର ରହିଥିବା ବେଳେ ଡାହାଣ ପାଦ ବାହାନ ମହିଷ ଉପରେ ରହିଛି । ଏକଦା ଏକ ପ୍ରମୁଖ ତନ୍ତ୍ରପୀଠ ରହିଥିବା ବାରାହୀ ଦେଉଳରେ ପ୍ରତିଦିନ ମାଛ ଭୋଗ କରାଯାଇଥାଏ ।

ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ସଂରକ୍ଷଣ କରାଯାଇଥିବା ପ୍ରାୟ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ବାରାହୀ ଦେଉଳର ମୁହଁ ପୂର୍ବ ଦିଗକୁ ରହିଥିବା ବେଳେ ପାର୍ଶ୍ୱ ଦେବତା ଭାବରେ ଦକ୍ଷିଣ ପାର୍ଶ୍ୱରେ ରହିଛି ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମା ଏବଂ ପଶ୍ଚିମ ପାର୍ଶ୍ୱରେ ରହିଛି ସାତଟି ଅଶ୍ୱ ଓ ସାରଥିଙ୍କ ସହିତ ରଥାରୁଢ଼ ସୂର୍ଯ୍ୟଙ୍କ ପ୍ରତିମା । ଏବେ ଖାଲି ପଡିଥିବା ଉତ୍ତର ପାର୍ଶ୍ଵର ପାର୍ଶ୍ୱଦେବତାଙ୍କ ସ୍ଥାନରେ ଅବକ୍ଷୟ ପୂର୍ବରୁ ସମ୍ଭବତଃ ଭୈରବଙ୍କ ପ୍ରତିମା ରହିଥାଇପାରେ ବୋଲି କିଛି ମତ ରହିଛି ।

ଫଟୋ ସୌଜନ୍ୟ- କୃଷ୍ଣଚନ୍ଦ୍ର ମହାପାତ୍ର

କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ବାରାହୀ ଦେଉଳର ମୁଖ୍ୟ ମନ୍ଦିରଟି ଖାକରା ପଞ୍ଚରଥ ଶୈଳୀରେ ନିର୍ମିତ ହୋଇଥିବାବେଳେ ମୁଖଶାଳା ବା ଜଗମୋହନର ନିର୍ମାଣ ଶୈଳୀ ଭୁବନେଶ୍ୱରର ପର୍ଶୁରାମେଶ୍ୱର ଓ ବାଙ୍କିର ସିଂହନାଥ ମନ୍ଦିର ଭଳି ରହିଛି ।  ତ୍ରିରଥ ଶୈଳୀରେ ନିର୍ମିତ ଏହି ଆୟତାକାର ଜଗମୋହନ ବା ମୁଖଶାଳାର ଉପର ଭାଗ ବା ଛାତ ସମତଳ ଆକୃତିର ରହିଥିବା ବେଳେ ଏହାର ମଝିରେ ଏକ କଳସ ରହିଛି । ଜଗମୋହନ ଭିତର ପାର୍ଶ୍ୱରେ ଦୁଇ ପଟରେ ଦୁଇଟି ଅପେକ୍ଷାକୃତ କ୍ଷୁଦ୍ର ବାରାହୀ ପ୍ରତିମା ରହିଛି । ଏହାର ବାହାର ପାର୍ଶ୍ୱ ବାଡ଼ରେ ରାମାୟଣର ବିଭିନ୍ନ ଦୃଶ୍ୟର ଚିତ୍ର ସାଙ୍ଗକୁ ତନ୍ତ୍ର ପଦ୍ଧତିର କିଛି ଚିତ୍ର ରହିଛି । ପଥର କଳାକୃତି ମାଧ୍ୟମରେ ବର୍ଣ୍ଣିତ ରାମାୟଣର ଦୃଶ୍ୟ ମଧ୍ୟରେ ରହିଛି ସ୍ଵର୍ଣ୍ଣ ମୃଗ ଓ ମାରୀଚ ବଧ, ସପ୍ତ ବୃକ୍ଷ ଭେଦ, ବାଳୀ ବଧ, ଜଟାୟୁ, ସୀତାହରଣ ଇତ୍ୟାଦିର ଚିତ୍ର ।

Leave A Reply

Your email address will not be published.