Latest Odisha News

BREAKING NEWS

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର ।

ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା ପକ୍ଷରୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ସହିତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ ।

ଏହି ପ୍ରତିଯୋଗିତାରେ ସାମିଲ ହୋଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଉରକେଲାରେ ଏକ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସେଠାରେ ସଂରକ୍ଷଣ କରିପାରୁଛନ୍ତି ।

ଏହି ଶୀତଳ ଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ସେମାନଙ୍କ ଜୀବିକା କରିପାରିଛନ୍ତି । ଏଥିସହିତ ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଞ୍ଚିପାରୁଛି ।

‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ରେ ମୋଟ ୯୯ଟି ଦେଶ ଭାଗ ନେଇଥିଲେ । କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାରକରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା ।

ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ପ୍ରଥମ ଦଫାରେ ରାଉରକେଲା ସହିତ ୫୦ଟି ସହର ମନୋନୀତ ହୋଇଥିଲେ । ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉରକେଲା ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ଏକ ନୂଆ ଉଚ୍ଚତାକୁ ଯାଇ ପାରିଛି ।

ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଡାକ୍ତର ଶୁଭଙ୍କର ମହାପାତ୍ର ନିଗମର କର୍ମକର୍ତ୍ତା ଏବଂ ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed, but trackbacks and pingbacks are open.