Unwanted Touch: ଛାତ୍ରୀଙ୍କ ହାତ ଧରି ଟାଣିଲେ ବିଧାୟକ! ଭାଇରାଲ ଭିଡିଓରେ କଂଗ୍ରେସ ନେତାଙ୍କ ଏପରି ବ୍ୟବହାର ନେଇ ଉଠିଲା ପ୍ରଶ୍ନ! ମହିଳାଙ୍କ ଅନୁମତି କେତେ ଗୁରୁତ୍ବପୂର୍ଣ୍ଣ?
ନୂଆଦିଲ୍ଲୀ: କାହା ପାଇଁ ସ୍ନେହ, ଆଉ କାହା ପାଇଁ ଅସହଜତା! କେବଳ ଖରାପ ଉଦ୍ଦେଶ୍ୟ ନଥିଲେ କ’ଣ ଯେକୌଣସି ସ୍ପର୍ଶ ଠିକ୍? ମହିଳାଙ୍କ ଅସହଜତା ଏବଂ ଅନୁମତି ବିନା ସ୍ପର୍ଶକୁ ନେଇ ଉଠିଲା ବଡ଼ ପ୍ରଶ୍ନ!
ଜଣେ ମହିଳାଙ୍କ ହାତ ଧରିବା, କାନ୍ଧରେ ହାତ ରଖିବା କିମ୍ବା ଫଟୋ ଉଠାଇବା ବେଳେ ତାଙ୍କୁ ନିଜ ଆଡ଼କୁ ଟାଣିବା…କେହି ଏହାକୁ ସ୍ନେହ ବୋଲି ଭାବିପାରନ୍ତି ଏବଂ ଚିହ୍ନାଜଣା ଲୋକଙ୍କ ମଧ୍ୟରେ ଏମିତି ଅନେକ ସମୟରେ ହୋଇଯାଏ, ହେଲେ ଯାହାଙ୍କୁ ସ୍ପର୍ଶ କରାଯାଉଛି, ସେ ଏଥିରେ ଅସହଜ ଅନୁଭବ କରୁଥାଇପାରନ୍ତି। ଆଉ ଯେତେବେଳେ ଜଣେ ମହିଳା ନିଜକୁ ସ୍ପର୍ଶ କରାଯିବା ପସନ୍ଦ କରୁନାହାନ୍ତି, ସେତେବେଳେ ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯାଉଛି କି ନାହିଁ, ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ? ତେଲେଙ୍ଗାନାର କଂଗ୍ରେସ ବିଧାୟକ ମାଲରେଡ୍ଡୀ ରଙ୍ଗା ରେଡ୍ଡୀଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଏବେ ଏଭଳି ପ୍ରଶ୍ନ ଉଠିଛି।
ତେବେ ଏକ ସରକାରୀ ବସ୍ରେ ଦୁଇ ଜଣ ଛାତ୍ରୀଙ୍କ ସହ ବିଧାୟକଙ୍କ କଥାବାର୍ତ୍ତାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓର ଗୋଟିଏ ଅଂଶରେ ବିଧାୟକ ଜଣେ ଛାତ୍ରୀଙ୍କ ହାତ ଧରି ତାଙ୍କୁ ନିଜ ଆଡ଼କୁ ଟାଣୁଥିବା ଦେଖାଯାଉଛି। ଛାତ୍ରୀ ଜଣକ ତାଙ୍କଠାରୁ ଦୂରେଇ ଯିବା ପରେ ସେ ପୁଣି ତାଙ୍କ ହାତ ଧରିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ଏମିତିକି ଛାତ୍ରୀଙ୍କ ଅଣ୍ଟାରେ ହାତ ରଖି ବିଧାୟକ କଥା ହେବାକୁ ଚେଷ୍ଟା କରିଥିବା ଦୃଶ୍ୟ ମଧ୍ୟ ରହିଛି । ଏହି ଦୃଶ୍ୟକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିବା ସହ ବିଧାୟକଙ୍କ ଆଚରଣକୁ ନେଇ ବିବାଦ ସୃଷ୍ଟି ହୋଇଛି।
ତେବେ ବିଧାୟକ ରଙ୍ଗା ରେଡ୍ଡୀ ନିଜ ପକ୍ଷ ରଖି କୌଣସି ଭୁଲ୍ କରିନଥିବା କହିଛନ୍ତି। ଛାତ୍ରୀମାନଙ୍କ ସହ ତାଙ୍କ ବ୍ୟବହାରକୁ ସେ ‘ବାପାଙ୍କ ଭଳି ସ୍ନେହପୂର୍ଣ୍ଣ ସମ୍ପର୍କ’ ବୋଲି ବର୍ଣ୍ଣନା କରିଛନ୍ତି। ହେଲେ ଏହି ବ୍ୟାଖ୍ୟା ପରେ ମଧ୍ୟ ଏକ ମୌଳିକ ପ୍ରଶ୍ନ ରହିଯାଉଛି, କାହା ପ୍ରତି ସ୍ନେହ ଦେଖାଇବା ପୂର୍ବରୁ ତାଙ୍କ ସହମତି ଓ ସୁବିଧାକୁ ଗୁରୁତ୍ୱ ଦେବା ଆବଶ୍ୟକ ନୁହେଁ କି?
ଏହି ବିବାଦ କେବଳ ଗୋଟିଏ ଭିଡିଓ କିମ୍ବା ଜଣେ ବିଧାୟକଙ୍କ ଆଚରଣ ମଧ୍ୟରେ ସୀମିତ ନୁହେଁ। ଦୈନନ୍ଦିନ ଜୀବନରେ ଅନେକ ମହିଳା ଏଭଳି ଅସହଜ ପରିସ୍ଥିତିର ସାମ୍ନା କରନ୍ତି। ଅଫିସ୍ରେ ସହକର୍ମୀ କଥା କହିବା ବେଳେ ହାତ ଧରିବା, ପିଠି କିମ୍ବା କାନ୍ଧରେ ହାତ ରଖିବା, ଫଟୋ ଉଠାଇବା ସମୟରେ ଅନୁମତି ନନେଇ ପାଖକୁ ଟାଣିବା, ଏପରିକି ଭିଡ଼ରେ ବାଟ କାଢ଼ିବା ନାଁରେ ଅଣ୍ଟାରେ ହାତ ରଖିବା ଭଳି ଘଟଣା ଅନେକଙ୍କୁ ଅସହଜ କରିଥାଏ। ଏଥିରେ କୌଣସି ଧମକ ନାହିଁ, କୌଣସି ହିଂସା ନାହିଁ କିମ୍ବା ପ୍ରକାଶ୍ୟ ଭାବେ ଯୌନ ଇଙ୍ଗିତ କରୁଥିବା କୌଣସି ହାବଭାବ ମଧ୍ୟ ନାହିଁ…ତଥାପି, ମହିଳାମାନେ ଅସହଜ ଅନୁଭବ କରୁଛନ୍ତି। ଏମିତିକି ଲୋକଟି ମହିଳାଙ୍କର ଚିହ୍ନା ହୋଇଥିଲେ ମଧ୍ୟ ଅନେକ ସମୟରେ ତାଙ୍କ ସ୍ପର୍ଶ ଅସହଜ ଲାଗିପାରେ । ଆଉ ଏହା ସ୍ବାଭବିକ ।
ଏନେଇ ଇଣ୍ଡିଆ ଟୁଡେର ଏକ ରିପୋର୍ଟରେ ମହିଳା ଓ ପୁରୁଷଙ୍କ ପ୍ରତିକ୍ରିୟା ନିଆଯାଇଛି । ଯେଉଁଥିରେ ମହିଳାଙ୍କ କହିବା କଥା ହେଉଛି, କଥା କହିବା ପାଇଁ କାହାର ହାତ ଧରିବା କିମ୍ବା କାନ୍ଧରେ ହାତ ରଖିବାର ଆବଶ୍ୟକତା ନାହିଁ। ଜଣେ ବ୍ୟକ୍ତିଙ୍କୁ ଡାକିବା କିମ୍ବା ତାଙ୍କ ସହ କଥା ହେବା ପାଇଁ ଅନ୍ୟ ଉପାୟ ରହିଛି। ତେଣୁ ଅନ୍ୟ ଜଣଙ୍କୁ ସ୍ପର୍ଶ କରିବା ପୂର୍ବରୁ ସେ ଏଥିରେ ସହଜ ଅନୁଭବ କରୁଛନ୍ତି କି ନାହିଁ, ତାହା ବୁଝିବା ଦରକାର। ଜଣେ ମହିଳା କେବଳ ଏତିକି କହିପାରନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବ୍ୟବହାର ତାଙ୍କୁ ଅସହଜ କରିଛି। ଏହାର ଅର୍ଥ ସେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଖରାପ ମଣିଷ ବୋଲି କହୁଛନ୍ତି, ତାହା ନୁହେଁ। କେତେକ ମହିଳାଙ୍କର ପୂର୍ବ ଅପ୍ରୀତିକର ଅନୁଭୂତି ଥାଇପାରେ, ଯାହା ଯୋଗୁଁ ସାମାନ୍ୟ ଅସହଜ ସ୍ପର୍ଶ ମଧ୍ୟ ସେମାନଙ୍କୁ ମାନସିକ ଭାବେ ବିଚଳିତ କରିପାରେ।
ରିପୋର୍ଟରେ ସମୟ ନାମକ ଜଣେ ସାମ୍ବାଦିକ ମଧ୍ୟ ଏହି ସମସ୍ୟାର ଅନ୍ୟ ଦିଗ ଉପରେ ଆଲୋକପାତ କରିଛନ୍ତି। କେହି ଜଣେ ମହିଳାଙ୍କୁ ଅଟକାଇବା ପାଇଁ ତାଙ୍କ ହାତ ଧରିପାରନ୍ତି କିମ୍ବା ନିଜ କଥା ଶୁଣାଇବା ପାଇଁ ତାଙ୍କୁ ଶାରୀରିକ ଭାବେ ଅଟକାଇପାରନ୍ତି। କିନ୍ତୁ ଅନ୍ୟ ଜଣଙ୍କ ହାତ ଛଡ଼ାଇବା ପରେ ବି ଯଦି ବ୍ୟକ୍ତି ଜଣଙ୍କ ବୁଝନ୍ତି ନାହିଁ ଯେ ମହିଳା ଜଣକ ସ୍ପର୍ଶ ଚାହୁଁନାହାନ୍ତି, ତେବେ ସେହି ପରିସ୍ଥିତି ନିଶ୍ଚିତ ଭାବେ ଅସହଜ ହୋଇପାରେ।
ଅନେକ ସମୟରେ ଏଭଳି ଘଟଣାରେ ପୁରୁଷଙ୍କ ପକ୍ଷରୁ କୁହାଯାଏ, ‘ମୋର ଉଦ୍ଦେଶ୍ୟ ଖରାପ ନଥିଲା’, ‘ମୁଁ ତ ମଜା କରୁଥିଲି’ କିମ୍ବା ‘ମୁଁ ତାଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଦେଖେ’। କିନ୍ତୁ ଉଦ୍ଦେଶ୍ୟ ଭଲ ଥିବା ଦାବି କଲେ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କ ଅସହଜତା ଅମୂଳକ ହୋଇଯାଏ ନାହିଁ। ଦୁଇ ଜଣଙ୍କ ସମ୍ପର୍କ, ସେହି ସମୟର ପରିସ୍ଥିତି ଏବଂ ସ୍ପର୍ଶ ପ୍ରତି ଅନ୍ୟ ବ୍ୟକ୍ତିଙ୍କ ସମ୍ମତି, ସବୁକିଛି ଗୁରୁତ୍ୱପୂର୍ଣ୍ଣ।
ତେବେ ଏଠି ଲୋକେ ପ୍ରଶ୍ନ କରିପାରନ୍ତି, ଯଦି ଉଚିତ୍ ଲାଗୁନାହିଁ, ମହିଳାମାନେ ପ୍ରତିବାଦ କାହିଁକି କରନ୍ତି ନାହିଁ? ଏହାର ଉତ୍ତର ମଧ୍ୟ ସରଳ ନୁହେଁ। କେହି ସାମ୍ନାସାମ୍ନି ପ୍ରତିବାଦ କଲେ ଅନ୍ୟ ଜଣଙ୍କୁ ଅପମାନିତ କରିଦେବେ ବୋଲି ଭାବନ୍ତି। କେହି ଅଫିସ୍ରେ ବରିଷ୍ଠ କର୍ମଚାରୀଙ୍କୁ ବିରୋଧ କରିବାକୁ ଭୟ କରନ୍ତି। ଆଉ କେହି ପରିବାର କିମ୍ବା ସାମାଜିକ ସମ୍ପର୍କ ଖରାପ ହେବା ଆଶଙ୍କାରେ ଚୁପ୍ ରହିଯାଆନ୍ତି। ମହିଳାଙ୍କୁ ସବୁବେଳେ ଭଦ୍ର ଓ ନମ୍ର ରହିବାକୁ ଶିଖାଯାଉଥିବାରୁ ଅନେକ ସମୟରେ ନିଜ ଅସହଜତାଠାରୁ ଅନ୍ୟର ମନକୁ ଅଧିକ ଗୁରୁତ୍ୱ ଦିଅନ୍ତି।
ଏଠାରେ ଆଉ ଏକ କଥା ସ୍ପଷ୍ଟ ହେବା ଦରକାର,ସବୁ ଅସହଜ ସ୍ପର୍ଶକୁ ଯୌନ ଉତ୍ପୀଡ଼ନ କିମ୍ବା ଅପରାଧ ବୋଲି ଘୋଷଣା କରାଯାଇପାରିବ ନାହିଁ। କିନ୍ତୁ ଯୌନ ଉଦ୍ଦେଶ୍ୟ ନଥିଲେ ମଧ୍ୟ ଅନ୍ୟ ବ୍ୟକ୍ତିଙ୍କ ଇଚ୍ଛାକୁ ଅଣଦେଖା କରିବା ତାହା ଠିକ୍ ନୁହେଁ।
ତେଣୁ ତେଲେଙ୍ଗାନାର ବିଧାୟକଙ୍କ ଭିଡିଓକୁ ନେଇ ବିବାଦ କେବଳ ତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ସେଥିରେ ସୀମିତ ନୁହେଁ। ଏହା ଆମ ସମାଜ ପାଇଁ ମଧ୍ୟ ଏକ ପ୍ରଶ୍ନ, ସ୍ନେହ ଦେଖାଇବା ହେଉ କି ପରିଚୟର ସମ୍ପର୍କ, ଅନ୍ୟର ସମ୍ମତିକୁ ଆମେ କେତେ ଗୁରୁତ୍ୱ ଦେଉଛୁ? କାରଣ, ଜଣେ ମହିଳାଙ୍କ ‘ନା’କୁ ସମ୍ମାନ କରିବା ଅର୍ଥ କାହାକୁ ଅପମାନ କରିବା ନୁହେଁ, ଏହା ତାଙ୍କ ବ୍ୟକ୍ତିଗତ ସୀମାକୁ ସମ୍ମାନ କରିବା।
ତେବେ କେବଳ ମହିଳାଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ତାହା ମଧ୍ୟ ନୁହେଁ, ଅନେକ ସମୟରେ ଅନେକ ପୁରୁଷ ମଧ୍ୟ ଏଭଳି ସ୍ପର୍ଶ ସହିତ ଅସହଜ ମନେ କରନ୍ତି । ତେଣୁ କାହାକୁ ଛୁଇଁବା ପୂର୍ବରୁ ତାଙ୍କ ସୁବିଧା ଓ ଇଚ୍ଛାକୁ ବୁଝିବା ହିଁ ପ୍ରକୃତ ସମ୍ମାନ।

