Latest Odisha News

BREAKING NEWS

Odisha Police: ଥାନାରେ ଷ୍ଟାଫ୍ ଅଭାବ! ଓଡ଼ିଶା ପୋଲିସରେ ଖାଲି ପଡ଼ିଛି ୨୬ ହଜାରରୁ ଅଧିକ ପଦ, ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ ଦାୟିତ୍ୱ ନେଇଥିବା ଓଡ଼ିଶା ପୋଲିସରେ ରହିଛି କର୍ମଚାରୀଙ୍କ ବଡ଼ ଅଭାବ। ବିଭାଗରେ ୨୬ ହଜାରରୁ ଅଧିକ ପଦ ଖାଲି ପଡ଼ିଥିବା ବେଳେ ଏବେ ୬,୮୮୫ଟି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସୋମବାର ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଓଡ଼ିଶା ପୋଲିସର ବିଭିନ୍ନ ବିଭାଗରେ ମୋଟ ୮୪,୨୩୭ଟି ପଦ ମଞ୍ଜୁର ହୋଇଛି। ହେଲେ ସେଥିମଧ୍ୟରୁ ୨୬,୧୦୧ଟି ପଦ ଖାଲି ପଡ଼ିଛି। ଅର୍ଥାତ୍ ପୋଲିସ ବିଭାଗରେ ଏକ ବଡ଼ ମାନବସମ୍ବଳ ଅଭାବ ଦେଖାଦେଇଛି।

ତେବେ ଏହି ଖାଲି ପଦ ପୂରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ୬,୮୮୫ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏହାଦ୍ୱାରା ରାଜ୍ୟ ପୋଲିସ ବାହିନୀକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ୨୯୮ଟି ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ASI) ପଦ ପାଇଁ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ OUSSSCକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

ସେହିପରି ପୂର୍ବରୁ ବାତିଲ ହୋଇଥିବା ୬୦୯ଟି ସବ୍‌-ଇନ୍ସପେକ୍ଟର (SI) ଓ ୨୫୩ଟି ଆର୍ମଡ୍ ସବ୍‌-ଇନ୍ସପେକ୍ଟର ପଦର ନିଯୁକ୍ତି ପରୀକ୍ଷା ଶୀଘ୍ର ସମ୍ପନ୍ନ କରିବାକୁ ମଧ୍ୟ କମିଶନକୁ କୁହାଯାଇଛି।

ତେବେ ୬,୮୮୫ଟି ପଦ ପାଇଁ ନିଯୁକ୍ତି ଚାଲିଥିଲେ ମଧ୍ୟ ମୋଟ ଖାଲି ପଦ ସଂଖ୍ୟା ତୁଳନାରେ ଏହା ଯଥେଷ୍ଟ ନୁହେଁ। ତେଣୁ ବାକି ପଦବୀଗୁଡ଼ିକ କେବେ ପୂରଣ ହେବ, ତାହା ଏବେ ବଡ଼ ପ୍ରଶ୍ନ। ପୋଲିସ ବିଭାଗରେ ଖାଲି ପଦ ପୂରଣ ହେଲେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ହୋଇପାରିବ।

Leave A Reply

Your email address will not be published.