ଗଂଜାମ: ପ୍ରଥମେ ବାତ୍ୟା ଅର୍ଣ୍ଣବ ତାପରେ ଅକ୍ୱାନ । ଅର୍ଣ୍ଣବର ତାଣ୍ଡବରେ ଗଂଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଥିଲା । ଏକର ଏକର ଫସଲ ଉଜୁଡି ଯାଇଥିଲା । ବାତ୍ୟା ତାପରେ ବନ୍ୟା ଯୋଗୁ ଚାଷ କ୍ଷେତରେ ପାଣି ଜମି ପଚି ଯାଇଥିଲା ଚାଷୀର ବର୍ଷ ବର୍ଷର ପରିଶ୍ରମ । ତାପରେ ପୁଣି ଏକ ବାତ୍ୟା ଅକ୍ୱାନକୁ ନେଇ ଭୟଭୀତ ଥିଲେ ଚାଷୀକୂଳ । ଅକ୍ୱାନର ପ୍ରଭାବ ଏତେ ନଥିଲେ ବି ଲଗାଣ ବର୍ଷା ଓ ପ୍ରବଳ ପବନ ଫଳରେ ଚାଷ ବିଲରେ ଧାନକେଣ୍ଡା ସବୁ ଶୋଇଯାଇଛି । ଅମଳ ସମୟରେ ଧାନ କ୍ଷେତର ଏପରି ସ୍ଥିତି ଦେଖି ଚାଷୀ ହତାଶ ହୋଇପଡିଛି । ସେପଟେ ଗୋଟିଏ ମାସରେ ଲଗାତର ୨ ଦୁଇଟି ବାତ୍ୟାରେ କେତେ କ୍ଷତିଗ୍ରସ୍ତ ହୋଇଛି ଚାଷ, ତାର ତଦାରଖ ପାଇଁ ଗଂଜାମରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗାଁ ଓ ଛତ୍ର୍ରପୁର ବ୍ଲକର ବଉଳ ଗାଁରେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଦୁଃଖ ବୁଝିବାକୁ ନିଜେ ଚାଷ କ୍ଷେତରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ । ୨ଟି ଯାକ ବାତ୍ୟାରେ ଫସଲ ହାନୀର ପ୍ରକୃତ ଚିତ୍ର ପରଖିବାକୁ ତଥା କ୍ଷୟକ୍ଷତି ଆକଳନ ପାଇଁ ପ୍ରଥମେ ଆକାଶମାର୍ଗରୁ ସ୍ଥିତିର ଅନୁଧ୍ୟାନ କରିଥିଲେ ମୋହନ । ତାପରେ ତଳେ ଚାଷୀଙ୍କ ପାଖକୁ ଯାଇ ବିଲରେ ଉଜୁଡା ଚାଷର ଅବସ୍ଥା ଦେଖିଛନ୍ତି । ବିଲରେ ପଶି ଫସଲ କେତେପରିମାଣର ନଷ୍ଟ ହୋଇଛି ତାର ଅନୁଧ୍ୟାନ କରିଛନ୍ତି । ଚାଷୀଙ୍କ ସହ କଥା ହୋଇଛନ୍ତି ମୋହନ ମାଝୀ । ଏବଂ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାର ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଂଜାମ ଜିଲ୍ଲା ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଓ କ୍ଷତିଗ୍ରସ୍ତଙ୍କ ପାଇଁ ଘୋଷିତ ପ୍ୟାକେଜ ବଂଟନ ଓ ସରକାରୀ ସହାୟତାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
