କୋରାପୁଟ: ଘନ କୁହୁଡି ସାଜିଲା କାଳ। ଘନ କୁହୁଡ଼ି ଯୋଗୁଁ କୋରାପୁଟ ଜିଲ୍ଲା ଲମତାପୁଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। କୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନଥିବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ ବିଳମ୍ବିତ ରାତି ଯାଏଁ ଯାତ୍ରା ଦେଖିଥିଲେ। ଯାତ୍ରା ଦେଖି ରାତି ପ୍ରାୟ ୩ଟା ସମୟରେ ସେମାନେ ଫେରୁଥିବା ବେଳେ, ଘନ କୁହୁଡ଼ି ଯୋଗୁଁ ଗୁନେଇପଡ଼ା ଗ୍ରାମ ନିକଟରେ ରାସ୍ତା ସ୍ପଷ୍ଟ ଦେଖାଯାଇ ନଥିଲା। ଏହି ସମୟରେ ସାମନା ପଟରୁ ଆସୁଥିବା ବାଇକ ସହ ଆଉ ଏକ ବାଇକ ଧକ୍କା ହୋଇ ମାରାତ୍ମକ ଦୁର୍ଘଟଣା ଘଟିଥିଲା। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଗୁନେଇପଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ କଟରାଗୁଡ଼ା ଗାଁର ପୀତାମ୍ବର ଖିଲୋ।
ଦୁର୍ଘଟଣାର ଖବର ପାଇ ମାଛକୁଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ପରେ ସେମାନଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅନ୍ଯପଟେ ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
