ପ୍ରୟାଗରାଜ: ଗୋଟେ ପଟେ ଦଳାଚକାଟା ଅନ୍ୟପଟେ ଶ୍ରଦ୍ଧା, ଭକ୍ତି ଓ ଆସ୍ଥା । ସକାଳୁ ସକାଳୁ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାର ଖବର ସାମ୍ନାକୁ ଆସିଥିବା ବେଳେ ଏପଟେ ବୁଡ ପକାଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ମୌନୀ ଅମାବାସ୍ୟା ପାଇଁ ତ୍ରିବେଣୀ ସଙ୍ଗମରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦିନ ୧୦ଟା ସୁଦ୍ଧା ମହାକୁମ୍ଭରେ ବୁଡ଼ ପକାଇଲେଣି ୩ କୋଟି ୬୧ ଲକ୍ଷ ଶ୍ରଦ୍ଧାଳୁ । ସେହିପରି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୪କୋଟିରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ବୁଡ ପକେଇଲେଣି ।
ସୂଚନା ଅନୁସାରେ, ଆଜି ମୌନୀ ଅମାବାସ୍ୟା ଉପଲକ୍ଷେ ୧୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବାର ଲକ୍ଷ୍ୟ ରହିଛି । ମହାସ୍ନାନ ପୂର୍ବରୁ ଦଳାଚକଟା ସ୍ଥିତି ଉପୁଜିଥିବାରୁ କିଛି ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତଥାପି ମହାକୁମ୍ଭରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଚାଲିଛି ଅମୃତ ସ୍ନାନ । ତେବେ ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ । ସେତେବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା ।
ଅନ୍ୟପଟେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ସଙ୍ଗମ ଜୋନରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ ଏତେ ପରିମାଣରେ ଥିଲା ଯେ ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ରାତି ପ୍ରାୟ ୧ରୁ ୨ ଟା ମଧ୍ୟରେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ପାର ହେବାକୁ ଚେଷ୍ଟା କରିବା ସମୟରେ ଦଳାଚକଟା ପରସ୍ଥିତି ଉପୁଜିଥିଲା । ଫଳରେ ଅନେକ ଭକ୍ତ ଆହତ ହୋଇଥିଲେ । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ଭକ୍ତମାନଙ୍କ ନିରାପଦ ସ୍ନାନ ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ ଜାରି ରହିଛି । ସେପଟେ ଭିଡ଼ କମିବା ପରେ ପୁଣି ଥରେ ସାହି ସ୍ନାନ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ମହାକୁମ୍ଭ ଆରମ୍ଭ ହେବା ଦିନରୁ ୨୮ ଜାନୁଆରୀ ପର୍ଯ୍ୟନ୍ତ ୨୦ କୋଟି ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି । ଗତକାଲି ପ୍ରାୟ ୫.୫ କୋଟି ଲୋକ ସ୍ନାନ କରିଥିଲେ ।
Comments are closed.